୨୧ରେ ଜାଗର: ରାତି ୧୦ଟାରେ ଲିଙ୍ଗରାଜଙ୍କ ଉଠିବ ମହାଦୀପ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୨୧ତାରିଖରେ ଅନୁଷ୍ଠିତ ହେବ ମହାଶିବରାତ୍ରି। ଏଥିପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ନିତିକାନ୍ତି ନେଇ କାର୍ଯ୍ୟ ନିର୍ଘଣ୍ଟ ହୋଇଛି। ଚଳିତବର୍ଷ ଶିବରାତ୍ରି ଦିନ ରାତ୍ରି ୧୦ଟାରେ ମହାଦୀପ ଉଠାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେହିପରି ଭୋର ୩ଟାରୁ ମହାପ୍ରଭୁଙ୍କର ମଙ୍ଗଳାଆଳତି ଓ ଅବକାଶ ଶେଷ ହେବା ପରେ ଶ୍ରଦ୍ଧାଳୁମାନେ ଭୋର ସାଢ଼େ ୩ଟାରୁ ପୂର୍ବାହ୍ଣ ୧୧ଟା ଯାଏ ସାହାଣମେଲା ଦର୍ଶନ, ସକାଳ ୬ଟାରେ ରୋଷ ହୋମ, ପୂର୍ବାହ୍ଣ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଛାମୁ ପରିଷ୍କାର, ଅପରାହ୍ଣ ୧୨ଟାରୁ ୧୨ଟା ୪୫ ମଧ୍ୟରେ ସୂର୍ଯ୍ୟ ପୂଜା, ଦ୍ୱାରାପାଳ ପୂଜା, ଶ୍ରୀଜିଉଙ୍କର ଓ ଠାକୁରାଣୀ ବଲ୍ଲଭଙ୍କର ଧୂପ ନୀତି ଅନୁଷ୍ଠିତ ହେବ।

ସେହିପରି ଅପରାହ୍ଣ ୨ଟାରୁ ୨ଟା ୪୫ ପର୍ଯ୍ୟନ୍ତ ଶ୍ରୀ ଭୁବନେଶ୍ୱରୀଙ୍କ ସକାଳ ଧୂପ, ଅପରାହ୍ଣ ୨ଟା ୪୫ରୁ ଅପରାହ୍ଣ ୩ଟା ୪୫ ପର୍ଯ୍ୟନ୍ତ ଭୋଗ ମଣ୍ଡପ, ଅପରାହ୍ଣ ୩ଟା ୪୫ରୁ ୪ଟା ୪୫ ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ, ଅପରାହ୍ଣ ୪ଟା ୪୫ରୁ ୫ଟା ୧୫ ପର୍ଯ୍ୟନ୍ତ ଛାମୁ ପରିଷ୍କାର ନୀତି ହେବ।

ସନ୍ଧ୍ୟା ୫ଟା ୧୫ରୁ ୫ଟା ୪୫ ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ବେଶ, ସନ୍ଧ୍ୟା ୫ଟା ୪୫ରୁ ୭ଟା ପର୍ଯ୍ୟନ୍ତ ବୀରକିଶୋର ବଲ୍ଲଭ, ସନ୍ଧ୍ୟା ୭ଟାରୁ ୭ଟା ୧୦ ଶ୍ରୀଜିଉଙ୍କର ପହୁଡ଼, ସନ୍ଧ୍ୟା ୭ଟାରୁ ୭ଟା ୩୦ ଶ୍ରୀଜିଉଙ୍କର ସନ୍ଧ୍ୟା ଆଳତି, ସନ୍ଧ୍ୟା ୭ଟା ୩୦ରୁ ୮ଟା ୧୦ ମଧ୍ୟରେ ଶ୍ରୀଜିଉଙ୍କର ମାଜଣା ଓ ବେଶ, ରାତି ୮ଟା ୧୦ରୁ ୮ଟା ୫୫ ପର୍ଯ୍ୟନ୍ତ ଶ୍ରୀଜିଉଙ୍କର ଯାତ୍ରା ପୂଜା ଓ ବେଢ଼ା, ରାତି ୮ଟା ୫୫ରୁ ୧୦ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କର ସନ୍ଧ୍ୟା ଧୂପ ଓ ଜଳ ଆନୟନ ନୀତି ପରେ ରାତି ୧୦ଟାରେ ମହାଦୀପ ଉଠିବ। ଏହାପରେ ରାତି ୧୦ଟାରୁ ୧୧ଟା ମଧ୍ୟରେ ସାହାଣମେଲା ଦର୍ଶନ, ରାତି ୧୧ଟାରୁ ସାଢ଼େ ୧୧ଟା ମଧ୍ୟରେ ଭୁବନେଶ୍ୱରୀଙ୍କ ସନ୍ଧ୍ୟା ଧୂପ ଓ ପୂଜା, ଶ୍ରୀଜିଉଙ୍କର ଛାମୁ ପରିଷ୍କାର କରାଯିବ।

ମହାପ୍ରଭୁଙ୍କର ଏହି ନୀତିକାନ୍ତି ଠିକ ସମୟରେ ଏବଂ ସୁଚାରୁ ରୂପେ ସମାପନ କରିବା ପାଇଁ ବିଭିନ୍ନ ନିଯୋଗ ସହିତ ଆଲୋଚନା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଏହା ସହିତ ମନ୍ଦିର ମଧ୍ୟରେ ଚାଲିଥିବା ବିଭିନ୍ନ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ମଧ୍ୟ ଏଏସ୍ଆଇକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ମନ୍ଦିର ଭିତରେ ଓ ବାହାରେ ଆଲୋକସଜ୍ଜା, ବ୍ୟାରିକେଡ, ପାନୀୟଜଳର ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ଟ୍ରାଫିକ ମ୍ୟାନେଜମେଣ୍ଟ, ସୂଚନା କେନ୍ଦ୍ର ସ୍ଥାପନ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିବା ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୧୫ତାରିଖରେ ଏହି ସବୁ କାର୍ଯ୍ୟର ଅଗ୍ରଗତି ନେଇ ପୁଣି ଏକ ସମୀକ୍ଷା ବୈଠକ କରାଯିବ ବୋଲି ଜଣାପଡ଼ିଛି।