ମହାପ୍ରଭୁଙ୍କର ଅର୍ଥକୁ ଲୁଟ କରିବା ପାଇଁ ହୋଇଥିବା ଷଡଯନ୍ତ୍ରର ପର୍ଦ୍ଦାଫାଶ ହେଉ: ବିଜେପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାବାସୀଙ୍କୁ ବାରମ୍ବାର ପ୍ରବର୍ତ୍ତାଇବା ଓ ଅପମାନିତ କରିଥିବା ରାଜ୍ୟ ସରକାର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବି ଦୁର୍ଦ୍ଦିନରେ ପକାଇବାକୁ ମଧ୍ୟ ପଛାଇନାହାନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଦିନଠୁ ରାଜ୍ୟ ସରକାରଙ୍କ ଆନ୍ତରିକତା ଓ ନିଷ୍ଠା ନଥିବା ସ୍ପଷ୍ଟ ହୋଇସାରିଛି। କୋଟି କୋଟି ଭକ୍ତଙ୍କ ଭାବ ସହ ଜଡିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କାର ବୃହତ ଅର୍ଥରାଶିକୁ ସରକାରଙ୍କର ଅର୍ଥ ରଖିବା ତାଲିକାଭୁକ୍ତ ହୋଇନଥିବା ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ୩ଟି ଚିଠିକୁ ଉଲ୍ଲେଖ କରିଛନ୍ତି।

ପ୍ରଥମ ଚିଠିକୁ ଉଲ୍ଲେଖ କରି କହିଛନ୍ତି ଯେ, ଏସଏଲବିସିଙ୍କ ଗାଇଡଲାଇନକୁ ଆଧାର କରି ରାଜ୍ୟ ସରକାରଙ୍କ ତତ୍କାଳୀନ ତତ୍କାଳୀନ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିସନ ରାଜ୍ୟ ସରକାରଙ୍କ ଅର୍ଥ କେଉଁ କେଉଁ ବ୍ୟାଙ୍କରେ ଜମା ରହିବ, ତାର ଏକ ତାଲିକା ୨୦୧୭ ମସିହାରେ ଦେଇଥିଲେ। ଏହି ତାଲିକାରେ ୨୨ଟି ବିଭିନ୍ନ ରାଷ୍ଟ୍ରାୟାତ୍ତ ଏବଂ ବୃହତ୍ ବ୍ୟାଙ୍କ ଏବଂ ୩ଟି ସମବାୟ ବ୍ୟାଙ୍କର ନାମ ଉଲ୍ଲେଖ କରିଥିଲେ। ଏହି ତାଲିକାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦାନ ଅର୍ଥରାଶି ଜମା ଥିବା ୟେସ୍ ବ୍ୟାଙ୍କର ନାମ ଯୋଗ୍ୟତା ତାଲିକାରେ ନଥିଲା। ୨୦୧୯ ମସିହା ମାର୍ଚ୍ଚ ମାସରେ ରାଜ୍ୟ ସରକାର ତାଲିକାଭୁକ୍ତ ହୋଇନଥିବା ୟେସ୍ ବ୍ୟାଙ୍କରେ ଫିକ୍ସ ଡିପୋଜିଟ ମାଧ୍ୟମରେ ୫୪୫ କୋଟି ଟଙ୍କା ଏବଂ ଫ୍ଲେକ୍ସ ଡିପୋଜିଟ ମାଧ୍ୟମରେ ୪୭ କୋଟି ଟଙ୍କା ଜମା କରିଥିଲେ ବ୍ୟାଙ୍କ ପରିଚାଳନା ପାଇଁ। ଏପରିକି ବିଧାନସଭାରେ ବିଜେପି ବିଧାୟକ ଶ୍ରୀ ଗଣେଶ ରାମ ଖୁଣ୍ଟିଆଙ୍କ ପ୍ରଶ୍ନରେ ରାଜ୍ୟଦେବୋତ୍ତର ବିଭାଗ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ୟେସ୍ ବ୍ୟାଙ୍କରେ ଜମା ଥିବା ଅର୍ଥରାଶି ମିଆଦ ପୂର୍ଣ୍ଣ ହେବା ପରେ ମାର୍ଚ୍ଚ ୧୯ ତାରିଖ ଦିନ ଉଠାଣ ହେବ ବୋଲି ଲିଖିତ ଉତ୍ତର ଦେଇଥିଲେ। ତା ମାନେ ସରକାର ସବୁ ଜାଣି ଚୁପ୍‌ ବସିଥିଲେ ଏହା ପ୍ରମାଣିତ ହେଉଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ଦ୍ୱିତୀୟ ଚିଠିକୁ ଉଲ୍ଲେଖ କରି ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ୨୦୧୯ ମସିହା ଜୁଲାଇ ମାସରେ ତତ୍କାଳୀନ ଅର୍ଥ ସଚିବ ଶ୍ରୀ ଅଶୋକ ମୀନାଙ୍କ ନିର୍ଦ୍ଦେଶାବଳୀ ଆଧାରରେ ୟେସ୍ ବ୍ୟାଙ୍କକୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଯଦିଓ ୟେସ୍ ବ୍ୟାଙ୍କର ଯୋଗ୍ୟତା, କ୍ରେଡେନସିଆଲ ଆଦି ମାନ୍ୟତା ଯୋଗ୍ୟ ନଥିଲା। ତାଲିକାଭୁକ୍ତ ହେବାର ୪୪ ମାସ ପୂର୍ବରୁ ୟେସ୍ ବ୍ୟାଙ୍କରେ କେଉଁ ଆଧାରରେ ଏବଂ କାହା ନିର୍ଦ୍ଦେଶରେ ଏତେ ବଡ ମାତ୍ରାର ଅର୍ଥ ରାଶି ଜମା କରାଯାଇଥିଲା ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି।

ତୃତୀୟ ଚିଠିକୁ ଉଲ୍ଲେଖ କରି ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ବ୍ୟାଙ୍କରେ ଗଚ୍ଛିତ ଥିବା ସରକାରୀ ଅର୍ଥରାଶିକୁ ଅନ୍ୟ ବ୍ୟାଙ୍କରେ ଟ୍ରାନ୍ସଫର କରିବା ଦ୍ୱାରା ବ୍ୟାପକ ଅନିୟମିତତା ଏବଂ ଦୁର୍ନୀତିର ସମ୍ଭାବନା ରହିଛି ବୋଲି ତତ୍କାଳୀନ ଅର୍ଥ ସଚିବ ସିଏଜିଙ୍କ ନିର୍ଦ୍ଦେଶକୁ ଆଧାର କରି ଏଭଳି ଟ୍ରାନ୍ସଫର ଉପରେ ରୋକ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ୱେ କାହିଁକି ଏବଂ କାହା  ନିର୍ଦ୍ଦେଶରେ ମାନ୍ୟତା ହ୍ରାସ ପାଉଥିବା ୟେସ୍ ବ୍ୟାଙ୍କରେ ଜମା ରଖାଗଲା ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି। ଏହି ୩ଟି ଚିଠିକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେଇଛି ଯେ, ରାଜ୍ୟ ସରକାର ନିଜେ ଦେଇଥିବା ନିଜ ନିର୍ଦ୍ଦେଶକୁ ଭଙ୍ଗ କରିଛନ୍ତି। ଏପରିକି ୟେସବ୍ୟାଙ୍କରେ ଜମାଥିବା ଅର୍ଥ ଆଦୌ ସୁରକ୍ଷିତ ହୁଏ ନାହିଁ ବୋଲି ସରକାର ଜାଣିଥିଲେ। ଏହି ନିୟମ ଭଙ୍ଗ କରିବା ପଛରେ ବହୁ ହିତାଧିକାରୀ ଅଛନ୍ତି ଏବଂ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ହରିଚନ୍ଦନ ଦାବି ଜଣାଇଛନ୍ତି।