ଓଡ଼ିଶାରେ ଏଯାଏ ମିଳିନି ବ୍ରିଟେନ ଷ୍ଟ୍ରେନ୍, ୨ରୁ କରୋନା ଟିକାର ଡ୍ରାଏ ରନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ବର୍ତ୍ତମାନ ସୁଦ୍ଧା ଓଡିଶାରେ କରୋନାର ନୂଆ ଭୂତାଣୁ ଚିହ୍ନଟ ହୋଇନି। ଏଯାଏ ବ୍ରିଟେନ ଷ୍ଟ୍ରେନ୍ ମିଳିନାହିଁ। ଫେରନ୍ତାଙ୍କ ନମୁନା ପରୀକ୍ଷା କରାଯାଇଥିଲେ ବି ଏଥିରୁ ନୂଆ ଷ୍ଟ୍ରେନ୍ ମିଳିନାହିଁ। ବିଟ୍ରେନରୁ ଫେରିଥିବା ଓଡ଼ିଶାର ୪ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ସେମାନଙ୍କ ସଂସ୍ପର୍ଶରେ ଆସି ଆଉ ୩ଜଣ ସମ୍ପର୍କୀୟ ସଂକ୍ରମିତ ହୋଇଛନ୍ତି। ରାଜ୍ୟକୁ ମୋଟ୍ ୧୮୮ଜଣ ବ୍ରିଟେନ୍ ଫେରିଛନ୍ତି। ହେଲେ ରାଜ୍ୟରେ ବ୍ରିଟେନରେ ନୂଆ ଷ୍ଟ୍ରେନ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି।  ଏନେଇ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିବୃତିରୁ ପ୍ରକାଶ ଯେ ଏପର୍ଯ୍ୟନ୍ତ ବ୍ରିଟେନରୁ ଫେରିଥିବା ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ୨୦୪ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସେଥିରୁ ମୋଟ୍ ୭ ଜଣଙ୍କ କରୋନା ପଜିଟିଭ୍ ମିଳିଛି। ହେଲେ କାହାଠାରେ ବ୍ରିଟେନ ଷ୍ଟ୍ରେନ୍ ନାହିଁ। ଏବେ ବି ୫ରୁ ଊଦ୍ଧ୍ୱର୍ଙ୍କ ପରିଚୟ ନେଇ ତଥ୍ୟ ସାମ୍ନାକୁ ଆସିନାହିଁ ବୋଲି ଶ୍ରୀ ମିଶ୍ରଙ୍କ ନିକଟରୁ ସୂଚନା ମିଳିଛି।

ଅନ୍ୟପକ୍ଷେ ଓଡ଼ିଶା ସମେତ ଦେଶର ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଆସନ୍ତା ଜାନୁଆରୀ ୨ ତାରିଖରୁ କୋଭିଡ-୧୯ ଟିକାର ଡ୍ରାଏ ରନ୍ ଆରମ୍ଭ କରାଯିବ। ଓଡ଼ିଶାରେ ଏହା ଭୁବନେଶ୍ୱରେ ପରିଚାଳିତ ହେବ। ଏନେଇ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର  ବୈଠକ ପରେ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଓଡ଼ିଶା ଅନୁରୋଧ କରିଛି ଯେ ଭୁବନେଶ୍ୱର ସମେତ ରାଜ୍ୟର ୩୦ଟି ଜିଲ୍ଲା ମୁଖ୍ୟାଳୟରେ ଥିବା ମୁଖ୍ୟ ଡାକ୍ତରଖାନାରେ ଏହି ଟିକାକରଣ ପାଇଁ ଡ୍ରାଏ ରନ୍ କରାଯାଉ। ଟିକା ପ୍ରଦାନ ଅଭ୍ୟାସ ପାଇଁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ଚିହ୍ନଟ କରାଯାଇଛି। ପ୍ରତ୍ୟେକ ସ୍ଥାନରେ ୨୫ ଜଣ ହିତାଧିକାରୀ (ସ୍ୱାସ୍ଥ୍ୟକର୍ମୀ)ଙ୍କୁ ଟିକା ଦିଆଯିବ।

ଏଥିପାଇଁ ପ୍ରତ୍ୟେକ ସ୍ଥାନରେ ୫ ଜଣିଆ ଟିମକୁ ମୁତୟନ କରାଯିବ। ଡ୍ରାଏ ରନ୍ ସମୟରେ କୋଭିଡ-୧୯ ଟିକାକରଣ ଗାଇଡଲାଇନକୁ ପାଳନ କରାଯିବ ବୋଲି ଉକ୍ତ ନିର୍ଦ୍ଦେଶନାମାରେ ପ୍ରକାଶ ପାଇଛି।