ମାଲକାନଗିରି/ବିଜାପୁର,ଏନ୍ଏନ୍ଏସ୍: ଓଡ଼ିଶା-ଛତିଶଗଡ଼ ସୀମା଼ ବିଜାପୁର ଜିଲ୍ଲାରେ ଆଜି ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି। ବାସାଗୁଡ଼ା ଥାନାଠାରୁ ୨ କିଲୋମିଟର ଦୂର ରାଜକୋଟ ପାଖରେ ଏହି ବିସ୍ଫୋରଣ ଘଟିଛି। ଏଥିରେ ଗୋଟିଏ ବୋଲେରୋ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଡ୍ରାଇଭରଙ୍କ ସହିତ ଅନ୍ୟଜଣେ ଆହତ ହୋଇଛନ୍ତି। ସେଠାରୁ ଉଭୟ ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ୨ ଜଣ ହେଲେ ବଳରାମ ପ୍ରଧାନ ଓ ମହମ୍ମଦ ଇକବାଲ।
ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଲ୍ୟାଣ୍ଡମାଇନ ବିଛାଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ ଡ୍ରାଇଭର ଓ ଅନ୍ୟଜଣେ ବ୍ୟକ୍ତି ବୋଲେରୋରେ ବାସାଗୁଡ଼ା ଆସୁଥିବାବେଳେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ଗାଡ଼ିଟି ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ଗୁରୁତରଙ୍କୁ ହସ୍ପିଟାଲ ପଠାଇବା ସହିତ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।