ଭୁବନେଶ୍ୱର,ଏନ୍ଏନ୍ଏସ୍: କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାସ୍କଫୋର୍ସ (ଏସ୍ଟିଏଫ୍) ରାଜଧାନୀରେ ଚାଲିଥିବା ବନ୍ଧୁକ କାରବାରର ପର୍ଦ୍ଦାଫାସ କରିଛି। ଏସ୍ଟିଏଫ୍ର ଏକ ଟିମ୍ ଓ ବଡ଼ଗଡ ଥାନା ପୁଲିସ ମିଳିତ ଭାବେ ଏକ ସ୍କୋର୍ପିଓ ଗାଡ଼ିରେ ଚଢ଼ଉ କରି ବନ୍ଧୁକ ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଜେନ୍ଦ୍ର ସାହୁ ଓରଫ ଲିଟୁ ଓ ତା’ର ଦୁଇ ସହଯୋଗୀ। ଏମାନଙ୍କ ଠାରୁ ଗୋଟିଏ ୯ ଏମ୍ଏମ୍ ବନ୍ଧୁକ, ୪ ରାଉଣ୍ଡ ଗୁଳି ଓ ସ୍କୋର୍ପିଓ ଗାଡି, ମୋବାଇଲ ଜବତ ହୋଇଛି।
ଏନେଇ ବଡ଼ଗଡ ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହୋଇଯିବାରୁ ସେମାନଙ୍କୁ ଝାରପଡ଼ା ଜେଲ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଘଟଣାସ୍ଥଳରୁ ସ୍କୋର୍ପିଓରେ ଥିବା ଅନ୍ୟ ୩ଜଣ ବନ୍ଧୁକ ବେପାରୀ ଖସି ପଳାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି। ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ରହିଥିବାରୁ ଏହି ଗ୍ୟାଙ୍ଗ୍ର ଗୁରୁଦାୟିତ୍ୱ ମହିଳାମାନେ ସମ୍ଭାଳୁଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ବଡ଼ଗଡ଼ ଥାନା ଅନ୍ତର୍ଗତ କଳ୍ପନା ଛକରେ ଗୁରୁବାର ଅପରାହ୍ଣ ସାଢ଼େ ୪ଟା ସମୟରେ (ଓଆର୍-୦୨-ଏଇ-୯୯୯୩)ନମ୍ବର ବିଶିଷ୍ଟ ଏକ ସ୍କୋର୍ପିଓ କାର୍ ଯାଉଥିଲା। ଏଥିରେ ଜଣେ ମହିଳାଙ୍କ ସମେତ ୫ଜଣ ଯୁବକ ବନ୍ଧୁକ ଧରି ଗ୍ରାହକଙ୍କ ପାଖକୁ ଡିଲ୍ କରିବା ପାଇଁ ଯାଉଥିବା ଏସ୍ଟିଏଫ୍ ଖବର ପାଇଥିଲା। ଏହାପରେ ଏସ୍ଟିଏଫ୍ର ଏକ ଟିମ୍ ଓ ବଡ଼ଗଡ଼ ଥାନା ପୁଲିସ ମିଳିତ ଭାବେ କଳ୍ପନା ଛକରେ ସ୍କୋର୍ପିଓକୁ ଘେରାବନ୍ଦି କରିଦେଇ ଅଟକାଇଥିଲେ। ପୁଲିସକୁ ଦେଖି ଉକ୍ତ ସ୍କୋର୍ପିଓରୁ ୩ଜଣ ଦୌଡ଼ି ପଳାଇ ଯାଇଥିବା ବେଳେ ଜଣେ ମହିଳାଙ୍କ ସମେତ ଅନ୍ୟ ୨ଜଣ ଯୁବକ ଧରାପଡ଼ିଯାଇଥିଲେ।
ପରେ ଗିରଫ ଅଭିଯୁକ୍ତମାନଙ୍କୁ ବଡ଼ଗଡ଼ ଥାନାକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ପଚରାଉଚରା କରିବାରୁ ବନ୍ଧୁକ ଚୋରା ଚାଲାଣ କରି ବିକ୍ରି କରୁଥିବା ସ୍ୱୀକାର କରିଥିଲେ। ସେମାନେ ବନ୍ଧୁକକୁ ୧୦ହଜାର ଟଙ୍କାରେ କିଣି ଲୋକଙ୍କୁ ୪୦ରୁ ୫୦ହଜାର ଟଙ୍କାରେ ବିକ୍ରି କରୁଥିବା କହିଛନ୍ତି। ଖାଲି ସେତିକି ନୁହେଁ ଲିଟୁ ରାଜଧାନୀରେ ୩୦ରୁ ଅଧିକ ବନ୍ଧୁକ ବିକ୍ରି କରିଥିବା ଜଣାପଡ଼ିଛି। ଏହାସହ ଏହି ବେପାରୀମାନେ ଲକ୍ଡାଉନ ସମୟରେ ବନ୍ଧୁକକୁ ହୋମ୍ ଡେଲିଭରି କରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ତେବେ ଫେରାର ଥିବା ୩ ଅଭିଯୁକ୍ତଙ୍କୁ ଧରିବା ପାଇଁ କମିଶନରେଟ୍ ପୁଲିସ ଓ ଏସ୍ଟିଏଫ୍ ଟିମ ଜୋରଦାର ଚଢ଼ଉ ଜାରି ରଖିଛି। ଆବଶ୍ୟକ ପଡ଼ିଲେ ମୁଖ୍ୟ ଅଭିଯୁକ୍ତ ଲିଟୁକୁ ପୁଲିସ ରିମାଣ୍ଡରେ ଆଣିବ ବୋଲି ଜଣାପଡ଼ିଛି। ଏହାସହ ଏହି ବନ୍ଧୁକ ସ୍ମଗଲିଂର ପର୍ଦ୍ଦାଫାସ ପାଇଁ କେଉଁ କେଉଁ ମାନଙ୍କୁ ଚୋରା ବନ୍ଧୁକ ବିକ୍ରି କରାଯାଇଛି। ପୁଲିସ ତା’ର ଖୋଳତାଡ଼ ଆରମ୍ଭ କରିଛି।