କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି: ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳୁ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦାବିରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍‌ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଶାର କଳା ଓ ସଂସ୍କୃତିପ୍ରେମୀ ଚଳାଇଥିବା ଉଦ୍ୟମ ପ୍ରତି କେନ୍ଦ୍ରମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ଓଡ଼ିଶୀ ସଙ୍ଗୀତ ପରମ୍ପରା ପ୍ରାୟ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ ହୋଇଥିବା ସତ୍ତ୍ୱେ ଏଯାବତ୍ କେନ୍ଦ୍ର ସରକାରଙ୍କ ଦ୍ୱାରା ଶାସ୍ତ୍ରୀୟ ମାନ୍ୟତା ପାଇନାହିଁ। ଶାସ୍ତ୍ରୀୟ ଓ ନିଜସ୍ୱ ମୌଳିକ ରାଗ ଆଧାରିତ ଓଡ଼ିଶାର ସଙ୍ଗୀତ ପରମ୍ପରା ଅନ୍ୟୁନ ୨୦୦୦ ବର୍ଷ ପୁରାତନ। ଏହା ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଂଗୀତ ଠାରୁ ଭିନ୍ନ। ଶାସ୍ତ୍ରୀୟ ମାନ୍ୟତା ପାଇବାକୁ ଆବଶ୍ୟକ ସମସ୍ତ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ଓଡ଼ିଶୀ ସଙ୍ଗୀତର ରହିଛି। ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ରାଜ୍ୟ ସରକାର ଅନେକ ଉଦ୍ୟମ କରିଛନ୍ତି। ବିଶେଷକରି ଗୁରୁ କେଳୁଚରଣ ମହାପାତ୍ରଙ୍କ ଓଡ଼ିଶୀ ଗବେଷଣା କେନ୍ଦ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଭଳି ପ୍ରତିଷ୍ଠାନ ସ୍ଥାପନ କରି ଓଡ଼ିଶା ସରକାର ସଂଗୀତ, ନୃତ୍ୟ ଏବଂ ଅଭିନୟର ପ୍ରଚାର ପ୍ରସାର ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି।

ଏହାଛଡ଼ା ଭାରତୀୟ ସାଂସ୍କୃତିକ ପୃଷ୍ଠଭୂମିରେ ଓଡ଼ିଶୀ ସଙ୍ଗୀତର ପ୍ରଭାବ ମଧ୍ୟ ଉଲ୍ଲେଖଯୋଗ୍ୟ। ଓଡ଼ିଶାର କେତେକ ନାଟ୍ୟକାର, ଚିତ୍ରକର ଓ ନୃତ୍ୟ ନିର୍ଦ୍ଦେଶକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ୧୯୯୯ ମସିହାରେ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଓଡ଼ିଶୀ ସଙ୍ଗୀତକୁ ଏକ ନୂଆ ଦିଗନ୍ତ ଦେଇଛି। ଅନ୍ୟପକ୍ଷରେ ଓଡ଼ିଶାର କଳାକାରଙ୍କର ଦେଶର କଳା ସଂସ୍କୃତି ପ୍ରତି ଉଲ୍ଲେଖନୀୟ ଅବଦାନ ରହିଛି। ସଙ୍ଗୀତ, କଳା, ସଂସ୍କୃତି କ୍ଷେତ୍ରରେ ନିଜ ଦକ୍ଷତା ପ୍ରଦର୍ଶନ କରିବା ସହ ଓଡ଼ିଆ କଳାକାରମାନେ ଜାତୀୟ ଓ ଆନ୍ତର୍ଜାତିକ ପୁରସ୍କାର ମଧ୍ୟ ହାତେଇଛନ୍ତି। ସେହିପରି ନିଜର ଭଙ୍ଗୀ, ଠାଣୀ, ଲାଳିତ୍ୟ ଏବଂ ମୁଦ୍ରା ପାଇଁ ଓଡ଼ିଶୀ ନୃତ୍ୟ ଅନ୍ୟତମ ଶ୍ରେଷ୍ଠ ଶାସ୍ତ୍ରୀୟ ନୃତ୍ୟ ଭାବେ ମାନ୍ୟତା ପାଇଛି। ଏସବୁ ଦେଶ ପାଇଁ ନିହାତି ପକ୍ଷେ ଗର୍ବର ପ୍ରସଙ୍ଗ। ଓଡ଼ିଶୀ ନୃତ୍ୟକୁ ଜାତୀୟସ୍ତରରେ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ମିଳିସାରିଥିଲେ ମଧ୍ୟ ଓଡ଼ିଶୀ ସଙ୍ଗୀତ ପକ୍ଷରେ ଏଭଳି ହେବା ସମ୍ଭବପର ହୋଇନାହିଁ।

ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି କ୍ରମେ କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସଙ୍ଗକୁ ଉଠାଇବା ପାଇଁ ଗତ ସେପ୍ଟେମ୍ବର ୨ ତାରିଖରେ ନିଷ୍ପତ୍ତି ନେଇଥିଲେ। ଏଣୁ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଉପରେ କେନ୍ଦ୍ର ସରକାର ବିଚାର କରନ୍ତୁ। ରାଜ୍ୟର କଳା ଓ ସଙ୍ଗୀତପ୍ରେମୀଙ୍କର ଏହା ଏକ ଦୀର୍ଘଦିନର ସ୍ୱପ୍ନ। ଏହି ସ୍ୱପ୍ନକୁ ସାକାର କରିବା ନିମନ୍ତେ ତଥା ଆମର ଐତିହ୍ୟ ଓ ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟ ଗୁଣକୁ ମାନ୍ୟତା ଦେବା ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିବା ସହ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ନିମନ୍ତେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟ ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଚିଠି ସହ ଏହି ବିସ୍ତୃତ ରିପୋର୍ଟକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ୍‌ଙ୍କ ଅବଗତି ନିମନ୍ତେ ପଠାଇଛନ୍ତି।