ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଶ୍ୱ ପର୍ଯ୍ୟଟନ ଦିବସରୁ ପୁରୀ ଓ କୋଣାର୍କକୁ ମୋ ବସ୍ ସେବା ଆରମ୍ଭ ହେବ। ପର୍ଯ୍ୟଟକମାନଙ୍କ ପାଇଁ ସ୍ୱତନ୍ତ୍ର ଉପହାର ସ୍ୱରୂପ ସେପ୍ଟେମ୍ବର ୨୭ ତାରିଖ, ରବିବାର ଠାରୁ ମୋ ବସ୍ ସେବା ଆରମ୍ଭ ହେବ ବୋଲି ମୋ ବସ୍ ପରିଚାଳନା ସଂସ୍ଥା କ୍ରୁଟ୍ ପକ୍ଷରୁ କୁହାଯାଇଛି। ପୁରୀ ଓ କୋଣାର୍କକୁ ବସ୍ ଚଳାଚଳ ପାଇଁ ବହୁ ଦିନରୁ ସ୍ଥାନୀୟ ଲୋକମାନେ ଦାବି କରି ଆସୁଥିଲେ। ଏହାକୁ ଦୃଷ୍ଟିରେ ରଖି ସଂସ୍ଥା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ରୁଟ୍ ନମ୍ବର-୫୦ରେ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ବସଷ୍ଟାଣ୍ଡ୍ରୁ ବାହାରି ଜଗନ୍ନାଥ ଧାମ ପୁରୀ ପର୍ଯ୍ୟନ୍ତ ବସ ଯିବ। ସେହିପରି କୋଣାର୍କକୁ ରୁଟ୍ ନମ୍ବର-୭୦ ରେ ସଂଯୋଗ କରିବ।
ତେବେ ଏହି ଦୁଇ ପର୍ଯ୍ୟଟନ ସହରକୁ ବସ୍ ଚଳାଚଳ ନେଇ ଘୋଷଣା ହେବା ପରେ କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି ଯେ, ପୁରୀ ଓ କୋଣାର୍କ ଓଡ଼ିଶାର ଏକ ପ୍ରମୁଖ ସାଂସ୍କୃତିକ କ୍ଷେତ୍ର ଭାବେ ବିଶ୍ୱବିଦିତ। ଓଡ଼ିଶାରୁ ଓ ବାହାରୁ ଭିନ୍ନଭିନ୍ନ ସହରରୁ ଆସୁଥିବା ଅସଂଖ୍ୟ ପର୍ଯ୍ୟଟକ ତଥା ରାଜଧାନୀରୁ ପ୍ରତିଦିନ ଯାତାୟାତ କରୁଥିବା ଅନେକ ଲୋକ ଏହା ଦ୍ୱରା ଲାଭବାନ ହେବେ। ସେହିପରି ପ୍ରଥମେ ୨ଟି ବିନା ବାର୍ତ୍ତାନୁକୁଳିତ ବସ ସେବା ଆରମ୍ଭ ହେବାକୁ ସ୍ଥିର କରାଯାଇଥିବା ବେଳେ ରବିବାର ଦିନ ଗୋଟିଏ ଗୋଟିଏ ବସ ଉଭୟ ରୁଟ୍ରେ ଯିବ। ସାଧାରଣ ବସ ସେବା ସୋମବାରଠାରୁ ଆରମ୍ଭ ହେବ ଓ ୨ଟି ଲେଖାଏଁ ବସ୍ ପ୍ରତ୍ୟେକ ରୁଟ୍ରେ ଚାଲିବ ବୋଲି ଶ୍ରୀ ବୋଥ୍ରା ଜଣେଇଛନ୍ତି।
ତେବେ ରୁଟ୍ ନମ୍ବର-୫୦ ପାଇଁ ସର୍ବାଧିକ ୭୦ଟଙ୍କା ଏବଂ ରୁଟ୍ ନମ୍ବର-୭୦ ପାଇଁ ୬୦ ଟଙ୍କା ଯାତ୍ରୀଭଡ଼ା ଧାର୍ଯ୍ୟ କରାଯାଇଛି। ଶ୍ରୀ ବୋଥ୍ରା ନିର୍ଦ୍ଧାରିତ ବସଭଡ଼ାର ସଠିକ୍ ମୂଲ୍ୟ ମୁତାବକ ଖୁଚୁରା ଦେବାପାଇଁ ଅନୁରୋଧ କରିଛନ୍ତି ଏବଂ କ୍ୟୁଆର୍ କୋଡ୍ ସେବାର ଅଧିକା ବ୍ୟବହାର କରିବାକୁ ଅପିଲ କରିଛନ୍ତ। ଏହାଦ୍ୱାରା ନୋଟ୍ ଏବଂ ଖୁଚୁରାର ଆଦାନପ୍ରଦାନଜନିତ ଭୂତାଣୁ ସମ୍ପ୍ରସାରଣକୁ ରୋକି ହେବା ସହ ଯାତ୍ରୀ ଓ ଗାଇଡ୍ମାନେ ନିଜକୁ ସୁରକ୍ଷିତ ରଖିପାରିବେ। ରୁଟ୍ ନମ୍ବର-୫୦ ମାଷ୍ଟରକ୍ୟାଣ୍ଟିନ୍, ରାଜ୍ୟ ସଂଗ୍ରହାଳୟ, ରବି ଟକିଜ୍, ଧଉଳି ଛକ, ଉତ୍ତରା ଛକ, ପିପିଲି ବାଇପାସ୍, ମାଳତୀପାଟପୁର ଓ ପୁରୀ ବସଷ୍ଟାଣ୍ଡରେ ରହିବ। ଠିକ୍ ସେହିପରି ରୁଟ୍-୭୦ ସମସ୍ତ ମୁଖ୍ୟ ମୁଖ୍ୟ ବସ୍ଷ୍ଟପରେ ଦେଇ ଯାତ୍ରା କରିବ। କେବଳ ମାସ୍କ ପିନ୍ଧିଥିବା ଯାତ୍ରୀ ବସରେ ଯାତ୍ରା କରିପାରିବେ।
ରୁଟ୍-୫୦
ଭୁବନେଶ୍ୱର-ପୁରୀ ୬.୩୦, ୭.୨୦,୧୭.୫୦,୧୮.୫୦
ପୁରୀ-ଭୁବନେଶ୍ୱର ୮.୨୦,୯.୧. ୨୦.୦୦,୨୧.୦୦
ରୁଟ୍-୭୦
ଭୁବନେଶ୍ୱର-କୋଣାର୍କ ୬.୪୦,୭.୪୦.୧୭.୪୦,୧୮.୪୦
କୋଣାର୍କ-ଭୁବନେଶ୍ୱର ୮.୩୦,୯.୩୦,୧୯.୪୦,୨୦.୪୦