ଭାରସାମ୍ୟ ହରାଇ ଖସିପଡିଲା ଏଲ-୪୧୦ ଟର୍ବୋଲେଟ୍‌ ବିମାନ : ୧୬ ଜଣଙ୍କ ମୃତ୍ୟୁ, ୭ ଗୁରୁତର

ମୋସ୍କୋ,ଏଜେନ୍ସି: ଋଷର ଟାଟାରଷ୍ଟନ୍‌ ଅଞ୍ଚଳରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ‘ଏଲ-୪୧୦ ଟର୍ବୋଲେଟ୍‌’ ନାମକ ବିମାନ ଯାନ୍ତ୍ରିକ ତୃଟି କାରଣରୁ ଭାରସାମ୍ୟ ହରାଇ ଖସିପଡିବା ଫଳରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣଙ୍କୁ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଋଷ ମିଡିଆର ସୂଚନା ଅନୁସାରେ ବିମାନଟି ପ୍ରାୟ ୨୩ ଜଣଙ୍କୁ ଧରି ଯାତ୍ରା କରୁଥିବାବେଳେ ଦୁର୍ଘଟଣା ହୋଇଛି।

ବିମାନଟି ପାରାଚ୍ୟୁଟ୍‌ ଜମ୍ପରଙ୍କୁ ନେଇ ଯାଉଥିଲା। ଋଷର ଜରୁରୀକାଳୀନ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଭାରସାମ୍ୟ ହରାଇ ‘ଏଲ-୪୧୦ ଟର୍ବୋଲେଟ୍‌’ ନାମକ ବିମାନ ଖସିପଡିଥିଲା। ଯେଉଁଥିରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ‘ଏଲ-୪୧୦ ଟର୍ବୋଲେଟ୍‌’ ଏକ ଡବଲ ଇଞ୍ଜିନ୍‌ ସ୍ୱଳ୍ପ ଦୂରଗାମୀ ପରିବହନ ବିମାନ।

ତେବେ ଋଷର ଉନ୍ନତମାନର ଜ୍ଞାନ କୌଶଳ ଥାଇ ମଧ୍ୟ ବାରମ୍ବାର ବିମାନ ଦୁର୍ଘଟଣା ସରକାରଙ୍କ ଚିନ୍ତା ବଢାଇଦେଇଛି। ଗତ କିଛି ବର୍ଷ ହେଲା ଋଷିଆନ୍‌ ବିମାନ ଚଳାଚଳ ମନ୍ତ୍ରାଳୟ ଖୁବ ବିକଶିତ ହୋଇଛି। ତଥାପି ଦୁର୍ଘଟଣା ବୃଦ୍ଧିପାଉଛି। ଗତ ମାସରେ ଏଏନ୍-୨୬ ନାମକ ଏକ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି ଗତ ଜୁଲାଇ ମାସରେ କାମଚାଟ୍‌କା ଏଏନ୍-୨୬ ଦୁଇ ଇଞ୍ଜିନ୍‌ ବିଶିଷ୍ଟ ଏକ ବିମାନ ଦୁର୍ଘଟଣା ଘଟିବା ଫଳରେ ୨୮ ଜଣଙ୍କର ମୃତ୍ୟୁ ଘଟିଥିଲା।