ବୈତରଣୀ ନଦୀଶଯ୍ୟାରୁ ବାହାରିଲା ୫ ଫୁଟର ଶିବଲିଙ୍ଗ

ଦଶରଥପୁର,ଏନ୍ଏନ୍ଏସ୍: ଦଶରଥପୁର ବ୍ଲକ୍ ତଳିହା ପଞ୍ଚାୟତର ପ୍ରସିଦ୍ଧ ଶୈବକ୍ଷେତ୍ର ସିଦେ୍ଧଶ୍ୱର ପୀଠ ନିକଟସ୍ଥ ବୈତରଣୀ ନଦୀଶଯ୍ୟାରୁ ବାଲି ଖନନ ବେଳେ ଏକ ୫ ଫୁଟ୍ ଉଚ୍ଚର ଶିବଲିଙ୍ଗ ବାହାରି ଥିବାର ଜଣାପଡ଼ିଛି। ଏଥିସହ ଏହି ଲିଙ୍ଗର ଠିକ୍ ୧୦ ଫୁଟ୍ ପଛକୁ ଏକ ସମାନ୍ତରାଳ ରେଖାରେ ଦୁଇଟି ଗର୍ଭମନ୍ଦିର ବାହାରି ଥିବାର ଦେଖାଯାଇଛି। ଗତ କିଛିଦିନ ଧରି ଏହି ପୀଠ ପାଖକୁ ଲାଗିଥିବା ବୈତରଣୀ ନଦୀଶଯ୍ୟାରୁ ବେଧଡ଼କଭାବେ ବାଲି ମାଫିଆମାନେ ଜେସିବି ଲଗାଇ ପ୍ରତିଦିନ ଶହ ଶହ ଟ୍ରିପ୍ ବାଲି ଲୁଟ୍ କରୁଛନ୍ତି। ଗତ ଶିବରାତ୍ରୀ ଦିନ ମେସିନ୍ରେ ନଦୀଶଯ୍ୟା ଖୋଳୁଥିବାବେଳେ ଏହି ଶିବଲିଙ୍ଗର ସନ୍ଧାନ ମିଳିଛି। ପୁରାଣ ପ୍ରସିଦ୍ଧ ଏହି ଶୈବପୀଠରେ ଶିବରାତ୍ରୀ ଦିନ ପ୍ରବଳ ଜନସମାଗମ ହୁଏ। ଏଥିସହ ଏଠାରେ ଅଶୋକାଷ୍ଟମୀ ନାମରେ ୯ ଦିନବ୍ୟାପୀ ଏକ ମେଳା ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ବେଳେ ହଜାର ହଜାର ଭକ୍ତ ଏହି ମେଳାରେ ସାମିଲ ହୁଅନ୍ତି। ଏହି ମନ୍ଦିରର ପୂଜକ ସୂର୍ଯ୍ୟମଣି ଦୀକ୍ଷିତ, ବ୍ରଜକିଶୋର ଦୀକ୍ଷିତ, ଶରତ ପଣ୍ଡା ଓ ବାବୁଲା ପାଣିଗ୍ରାହୀଙ୍କ କହିବାନୁଯାୟୀ ବାହାରିଥିବା ଏହି ଶିବଲିଙ୍ଗ ମୁଖ୍ୟ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ସେତେବେଳେ ସେଠାରେ ପ୍ରଥମେ ପ୍ରତିଷ୍ଠା କରାଯାଇଥିଲା ବୋଲି ପୁରାଣରେ ବର୍ଣ୍ଣିତ ଅଛି। ୧୯୯୨ ମସିହାରୁ ଏହି ମନ୍ଦିରକୁ ନିଜ ଅଧିନକୁ ନେବାକୁ ପ୍ରତ୍ନତତ୍ତ୍ୱ ବିଭାଗକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇନାହିଁ। କେବଳ ଧର୍ମକୁ ଆଖିଠାର ପରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଟ୍ରଷ୍ଟି ଗଠନ କରାଯାଇ ତହସିଲଦାରଙ୍କୁ ଏହି ଟ୍ରଷ୍ଟିର ମୁଖ୍ୟଭାବେ ଦାୟିତ୍ୱ ଅର୍ପଣ କରାଯାଇଛି। ଏପରି ପ୍ରସିଦ୍ଧ ଶୈବପୀଠର କୌଣସି ଆଖିଦୃଶିଆ ବିକାଶ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ହୋଇନଥିବାବେଳେ ତୁରନ୍ତ ଏହି ମନ୍ଦିରକୁ ପ୍ରତ୍ନତତ୍ତ୍ୱ ବିଭାଗ ହାତକୁ ନେଇବାକୁ ବୁଦ୍ଧଜୀବୀ ତଥା ଐତିହାସିକମାନଙ୍କ ପକ୍ଷରୁ ଦାବି ହୋଇଛି।