ଜଙ୍ଗଲ ଅନୁମତି ପାଇଁ ଫିଟିଲା ବାଟ: ତ୍ୱରାନ୍ୱିତ ହେବ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ

ଭୁବନେଶ୍ବର,ଏନ୍ଏନ୍ଏସ୍: ଜଙ୍ଗଲ ଅନୁମତି ମିଳିବାରେ ସମସ୍ୟା ଯୋଗୁଁ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳପଥ ପ୍ରକଳ୍ପ କାର୍ଯ୍ୟ ବିଳମ୍ୱିତ ହୋଇଛି । ତେବେ ଜଙ୍ଗଲ ମଞ୍ଜୁରୀ ପାଇଁ ଉପୁଜିଥିବା ସମସ୍ୟା ଏବେ ଦୂର ହେବାର ଆଶା ସଞ୍ଚାର ହୋଇଛି । ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳପଥକୁ ନେଇ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ।

ବୈଠକରେ କେନ୍ଦ୍ର ସରକାର, ରେଳବାଇ, ଜଙ୍ଗଲ ଏବଂ ପରିବେଶ ଏବଂ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପିସିସିଏଫ (ନୋଡାଲ) ସୁଶାନ୍ତ ନନ୍ଦ ବୈଠକ ସଂକ୍ରାନ୍ତରେ ଟୁଇଟ କରି ସୂଚନା ଦେଇଛନ୍ତି । ସୁଶାନ୍ତ ଟ୍ୱିଟ କରି କହିଛନ୍ତି ଯେ, ଧାର୍ଯ୍ୟ ସମୟ ମଧ୍ୟରେ ଜଙ୍ଗଲ ଅନୁମତି ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି । ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପଟିକୁ କେନ୍ଦ୍ର ସରକାରଙ୍କର ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ଅନୁମତି ମିଳୁନଥିବାରୁ ଅହେତୁକ ବିଳମ୍ବ ହେବାରେ ଲାଗିଛି । ମୋଟ ୩୦୧ କିଲୋମିଟର ଦୈର୍ଘ୍ୟ ଏହି ରେଳପଥ ମଧ୍ୟରୁ ମାତ୍ର ୯୧ କିଲୋମିଟର ରେଳପଥରେ ଖୋର୍ଦ୍ଧା ରୋଡ-ନୂଆଗାଁ ମଧ୍ୟରେ ରେଳ ଚଳାଚଳ କରୁଥିବା ବେଳେ ୨୦୨୩ ମାର୍ଚ୍ଚ ସୁଦ୍ଧା ନୂଆଗାଁରୁ ଦଶପଲ୍ଲା ମଧ୍ୟରେ ରେଳ ଚଳାଚଳ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ତେବେ ଦଶପଲ୍ଲାରୁ ବୁଗୁଡା ପର‌୍ୟ୍ୟନ୍ତ ଥିବା ୧୫ କିଲୋମିଟର ରେଳପଥ କାର୍ଯ୍ୟ ଧିମେଇ ଯାଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ଅନୁମତି ପ୍ରଦାନ କରୁନଥିବାରୁ ଏଭଳି ସ୍ଥିତି ଉପୁଜିଛି । ଅନୁରୂପ ସମସ୍ୟା ଯୋଗୁଁ ବୁଗୁଡାରୁ ବାଣିଗୋଚ୍ଛା ପର୍ଯ୍ୟନ୍ତ ପ୍ରକଳ୍ପ କାର‌୍ୟ୍ୟ ବି ଆରମ୍ଭ ହୋଇ ପାରୁନାହିଁ । ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ଏହି ରେଳପଥର ପ୍ରକଳ୍ପର ୧୧୨ କିଲୋମିଟରରୁ ୧୮୦ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟ ପାଇଁ ଜଙ୍ଗଲ ଅନୁମତି ପ୍ରଦାନ କରିନାହାନ୍ତି ।

ତେବେ ୧୮୦ ରୁ ୨୭୫ କିମି କାର୍ଯ୍ୟ ଆଗେଇଥିବା ବେଳେ ୨୭୫ ରୁ ୩୦୧ କିମି ରେଳପଥରେ ରେଳ ଚଳାଚଳ କରୁଛି ।ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ୧୧୨ କି.ମିରୁ ୩୦୧ କିଲୋମିଟର ପର୍ଯ୍ୟନ୍ତ ଆବଶ୍ୟକ ପଡୁଥିବା ଜମି ରାଜ୍ୟ ସରକାର ବିନା ମୂଲ୍ୟରେ ଯୋଗାଉଥିବା ବେଳେ ନିର୍ମାଣକାର୍ଯ୍ୟର ୫୦ ପ୍ରତିଶତ ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ଅନୁମତି ମିଳୁ ନଥିବାରୁ ୧୧୨ରୁ ୧୧୮ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇପାରୁନଥିବା ଅଧିକାରୀମାନେ ସ୍ୱୀକାର କରୁଛନ୍ତି ।

ଜଙ୍ଗଲ ଅନୁମତି ପାଇଁ ରାଜ୍ୟ ସରକାର କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟର ଭୁବନେଶ୍ୱରରେ ଥିବା ଆଞ୍ଚଳିକ ଦପ୍ତରକୁ ପ୍ରସ୍ତାବ ପଠାଇଛନ୍ତି । ବର୍ତ୍ତମାନ ତୁରନ୍ତ ଅନୁମତି ପ୍ରଦାନ କରିବାକୁ କେନ୍ଦ୍ରୀୟ ଅଧିକାରୀଙ୍କୁ କୁହାଯାଇଛି । ଯାହା ଫଳରେ ଏହି ବହୁ ଆଙ୍କାକ୍ଷିତ ରେଳପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବା ନେଇ ଆଶା କରାଯାଉଛି ।