ଭଗବାନ କୃଷ୍ଣଙ୍କ ସୁନ୍ଦର ଚିତ୍ର ଆଙ୍କୁଛନ୍ତି କେରଳର ଏକ ମୁସଲିମ ମହିଳା

କେରଳ,ଏଜେନ୍ସି: କୃଷ୍ଣ ହେଉଛନ୍ତି ଜଣେ ଏପରି ଭଗବାନଙ୍କ ଯିଏକି ସମସ୍ତଙ୍କ ପ୍ରେମରେ ବସିଥାନ୍ତି। ତାଙ୍କୁ ପ୍ରେମର ଏକ ରୂପ ବୋଲି ମଧ୍ୟ କୁହାଯାଏ। ରାଧା ହୁଅନ୍ତୁ କି ମିରାବାଇ ସମସ୍ତେ କୃଷ୍ଣଙ୍କ ପ୍ରେମରେ ବିଭୋର ହୋଇଛନ୍ତି। କୃଷ୍ଣଙ୍କ ପ୍ରତି ଏଭଳି ଏକ ପ୍ରେମର ଉଦାହରଣ ପାଲଟିଛନ୍ତି କେରଳର ଜଣେ ମୁସଲମାନ ମହିଳା ଜସନା ସଲିମ। ସେ ବହୁ ବର୍ଷ ଧରି କୃଷ୍ଣଙ୍କ ବିଭିନ୍ନ ପ୍ରକାରର ସୁନ୍ଦର ଚିତ୍ର ଆଙ୍କି ଆସୁଛନ୍ତି।

ସୂଚନା ଅନୁସାରେ ଜସନା ସଲିମ ଦୀର୍ଘ ୬ ବର୍ଷ ଧରି କୃଷ୍ଣଙ୍କ ଭିନ୍ନ ଭିନ୍ନ ସୁନ୍ଦର ଚିତ୍ର ଆଙ୍କି ଆସୁଛନ୍ତି। ସେ କୃଷ୍ଣଙ୍କୁ ବହୁତ ପ୍ରେମ କରୁଛନ୍ତି, କିନ୍ତୁ ଦୁଃର୍ଭାଗ୍ୟ ବଶଃତ ସେ କୃଷ୍ଣଙ୍କ ଏହି ଚିତ୍ର ଗୁଡ଼ିକୁ ଘରେ ରଖି ପାରୁ ନାହାନ୍ତି। ପ୍ରତିବର୍ଷ ସେ କୃଷ୍ଣଙ୍କ ଚିତ୍ର ଆଙ୍କି ତ୍ରିଶୂରର ପ୍ରସିଦ୍ଧ ଗୁରୁବାୟୁର ଶ୍ରୀ କୃଷ୍ଣ ମନ୍ଦିରକୁ ଉପହାର ଦେଇଥାନ୍ତି। କିନ୍ତୁ ପରମ୍ପରା ଓ ରୀତି ନିତି ଅନୁସାରେ ତାଙ୍କୁ ମନ୍ଦିରକୁ ପ୍ରବେଶ କରିବାକୁ ଦିଆଯାଏ ନାହିଁ କି ତାଙ୍କ ଚିତ୍ରକୁ ଗର୍ଭଗୃହ ସାମ୍ନାରେ ରଖିବାକୁ ଅନୁମତି ଦିଆଯାଏ ନାହିଁ।

ଜସନା ସଲିମ ୫୦୦ରୁ ଅଧିକ କୃଷ୍ଣଙ୍କ ଚିତ୍ର ଆଙ୍କି ସାରିଛନ୍ତି। ସେ କୃଷ୍ଣଙ୍କ ବାଳ ରୂପ ଚିତ୍ର ଆଙ୍କିଥାନ୍ତି। ବର୍ତ୍ତମାନ ତାଙ୍କୁ ୨୮ ବର୍ଷ ଓ ତାଙ୍କର ୨ ପିଲା ଅଛନ୍ତି। ଏହି ମଧ୍ୟରେ ସେ ଭଗବାନ କୃଷ୍ଣଙ୍କ ଚିତ୍ର ଆଙ୍କିବା ପାଇଁ ସମୟ କାଢ଼ିଥାନ୍ତି। ସେ ଜନୈକ ଗଣମାଧ୍ୟମର ସାକ୍ଷାତକାରରେ କହିଛନ୍ତି କି ୬ ବର୍ଷ ହେଲା କୃଷ୍ଣଙ୍କ ଚିତ୍ର ଆଙ୍କି ଆସୁଛି ଏବଂ ଏହା ପୂର୍ବରୁ କିଛି ଚିତ୍ର ଆଙ୍କି ନଥିଲି। ଭଗବାନ କୃଷ୍ଣ ମୋ ଭିତରେ ଅଛନ୍ତି। ମୁଁ ତାଙ୍କୁ ଧ୍ୟାନ କରି ଏହି ଚିତ୍ର ଆଙ୍କୁଛି।