କେନ୍ଦ୍ରାପଡ଼ାରେ ଲାଗୁ ହେବ ଏନଆରସି!

ଓଡ଼ିଶାରେ ବିଶେଷକରି କେନ୍ଦ୍ରାପଡ଼ାରେ ଲାଗୁ ହୋଇପାରେ ଏନଆରସି(ନ୍ୟାସନାଲ୍ ରେଜିଷ୍ଟର ଅଫ୍ ସିଟିଜେନସିପ୍)। ଗତ ସେପ୍ଟେମ୍ବର ୨୦ ତାରିଖରେ ଗୃହ ମନ୍ତ୍ରାଳୟର ଜନୈକ ବରିଷ୍ଠ ଅଧିକାରୀ ଏ ସଂକ୍ରାନ୍ତରେ ଏନ୍ଆର୍ସି କାର୍ଯ୍ୟକାରୀ କରୁଥିବା ରେଜିଷ୍ଟର ଜେନେରାଲ୍ ଅଫ୍ ଇଣ୍ଡିଆଙ୍କୁ ପତ୍ର ଲେଖି ଜଣାଇଛନ୍ତି। ଯାହାଫଳରେ କେନ୍ଦ୍ରାପଡ଼ା ଜିଲ୍ଲାରେ ରହୁଥିବା ବିଦେଶୀ ନାଗରିକଙ୍କ ଚିହ୍ଣଟ ପ୍ରକ୍ରିୟା ଖୁବ୍ଶୀଘ୍ର ହେବା ନେଇ ସମ୍ଭାବନା ପ୍ରକାଶ ପାଇଛି।

ଉକ୍ତ ପତ୍ରରେ ଅଧିକାରୀ ଜଣକ ଲେଖିଛନ୍ତି ଯେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆସିକସ କ୍ୟୁରୀ ମୋହିତ ଅଗ୍ରୱାଲ ୨୦୧୮ ମସିହାରେ ନଭେମ୍ବର ୨୬ ତାରିଖରେ ହାଇକୋର୍ଟଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିଥିଲେ। ଯେଉଁଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଏନଆରସି ନବୀକରଣ ଲାଗି ନିର୍ଦ୍ଦେଶ ଦିଆଯିବାକୁ ସୁପାରିଶ କରାଯାଇଥିଲା। ଓଡ଼ିଶା ହାଇକୋର୍ଟ ମଧ୍ୟ ଏହି ସୁପାରିଶକୁ ଗ୍ରହଣ କରି ୨୦୧୯ ମସିହା ଜାନୁଆରୀ ୨୧ରେ ରାଜ୍ୟ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିକୁ ଆମିକସ କ୍ୟୁରିଙ୍କ ପରାମର୍ଶ ଆଧାରରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ପରେ ଏ ନେଇ ଆମିକସ କ୍ୟୁରୀ ଗୃହ ମନ୍ତ୍ରାଳୟକୁ ଇ-ମେଲ୍ ପଠାଇଥିଲେ। ଏହି ଇ-ମେଲ୍କୁ ରେଜିଷ୍ଟର ଜେନେରାଲଙ୍କୁ ପଠାଇଛି ଗୃହ ମନ୍ତ୍ରାଳୟ। ଉଲ୍ଲେଖଯୋଗ୍ୟ ଯେ କିଛିଦିନ ପୂର୍ବରୁ ଆମିକସ କ୍ୟୁରୀଙ୍କ ରିପୋର୍ଟକୁ ଭିତ୍ତି କରି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମଧ୍ୟ କେନ୍ଦ୍ର ସରକାରଙ୍କୁ ଏନଆରସି ଲାଗୁ କରି ବେଆଇନ ଭାବେ ରହୁଥିବା ବାଂଲାଦେଶୀ ଲୋକଙ୍କୁ ଚିହ୍ନଟ କରିବାକୁ ଅନୁରୋଧ କରିଥିଲେ। ତେବେ ଗୃହ ବିଭାଗ ପକ୍ଷରୁ ବର୍ତ୍ତମାନ ଚିଠି ଲେଖାଯିବା ପରେ କେନ୍ଦ୍ରାପଡ଼ାରେ ଏନ୍ଆରସି ଲାଗୁ ହେବା ସମ୍ଭାବନା ଉଜ୍ଜ୍ୱଳ ହୋଇଛି।

ନିକଟରେ ଆସାମରେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନ୍ଆର୍ସି ତାଲିକା ପ୍ରକାଶ ପାଇ ସାରିଛି। ଏହି ତାଲିକାରେ ସ୍ଥାନ ପାଇବା ପାଇଁ ମୋଟ ୩ କୋଟି ୧୧ ଲକ୍ଷ ୨୧ ହଜାର ଜଣ ଲୋକ ଆବେଦନ କରିଥିବା ବେଳେ ତାଲିକାରୁ ୧୯ ଲକ୍ଷ ୬ ହଜାର ୬୫୭ ଜଣ ବାଦ୍ ପଡ଼ିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସାରା ଦେଶରେ ଏନଆରସି ଲାଗୁ କରିବା ପାଇଁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଏପରିସ୍ଥଳେ ରାଜ୍ୟରେ ପୁଣି ଥରେ ବେଆଇନ୍ ଅନୁପ୍ରବେଶକାରୀଙ୍କ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ ଆମିକସ କ୍ୟୁରୀଙ୍କ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଅତି କମରେ ୭ ରୁ ୮ ଲକ୍ଷ ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀ ଅଛନ୍ତି ଓ ସେମାନଙ୍କ ମଧ୍ୟରୁ ସିଂହଭାଗ କେବଳ କେନ୍ଦ୍ରାପଡ଼ାରେ ଆସ୍ଥାନ ଜମାଇଛନ୍ତି।