- ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀଭାବେ ଶପଥ ଗ୍ରହଣ କରିବାର କିଛି ଘଣ୍ଟା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ ହୋଇଥିଲା। ହ୍ୟାକରମାନେ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ଫେସବୁକ ପେଜରେ ଏକ ପୁରୁଣା ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ କଂଗ୍ରେସକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର କେନ୍ଦ୍ର ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ପରେ ତାଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା। ରାତି ପ୍ରାୟ ୧ଟାରେ ମନ୍ତ୍ରୀଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଥିଲା। ପୋଷ୍ଟ ଭାଇରାଲ ହେବା ମାତ୍ରେ ସିନ୍ଧଆ ଆଇଟି ଟିମ୍ କାର୍ଯ୍ୟରେ ଲାଗିଥିଲେ ଏବଂ ତୁରନ୍ତ ଆକାଉଣ୍ଟକୁ ରିଫ୍ରେସ କରିଥିଲେ। ଭିଡିଓଟି ରାତାରାତି ହଟାଯାଇଥିଲା। ଏଥି ସହିତ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆକାଉଣ୍ଟକୁ କିଏ ହ୍ୟାକ୍ କରିଛି, ସେନେଇ ସୂଚନା ମିଳିନାହିଁ। ବିଶେଷଜ୍ଞ ଦଳ ଜାଣିବାକୁ ଚେଷ୍ଟା କରୁଛନ୍ତି। କେତେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗ୍ୱାଲିଅର୍ କ୍ରାଇମ୍ ବ୍ରାଞ୍ଚ ପୁଲିସ କହିଛି ଯେ, କେନ୍ଦ୍ର ମନ୍ତ୍ରୀଙ୍କ ଫେସବୁକ୍ ଆଇଡି ହ୍ୟାକ୍ ମାମଲାରେ ଏକ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଆଇଡି ହ୍ୟାକ୍ କରି ପୁରୁଣା ଭିଡିଓ ଏବଂ ଫଟୋ ରଖିଥିବା ଅଭିଯୁକ୍ତଙ୍କ ସନ୍ଧାନ ଚାଲିଛି।