ଜୁନିୟର୍ ନ୍ୟାସନାଲ୍ ରଗ୍‌ବୀ ୭ ଏସ୍ ଚାମ୍ପିଅନ୍‌ଶିପ୍ ଆରମ୍ଭ, ଉଭୟ ବିଭାଗ ପ୍ରିକ୍ୱାର୍ଟର୍‌ରେ ଓଡ଼ିଶା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ କିଟ୍ ରଗ୍‌ବୀ ଷ୍ଟାଡିୟମ୍‌ଠାରେ ଶୁକ୍ରବାର ଜୁନିୟର୍ ନ୍ୟାସନାଲ୍ ରଗ୍‌ବୀ ୭ ଏସ୍ ଚାମ୍ପିଅନ୍‌ଶିପ୍ (୧୮ ବର୍ଷରୁ କମ୍ ପୁରୁଷ ଓ ମହିଳା) ଉଦ୍‌ଘାଟିତ ହୋଇଯାଇଛି। ଏହାର ଆୟୋଜନ ରଗ୍‌ବୀ ଇଣ୍ଡିଆ, ଓଡ଼ିଶା ରଗ୍‌ବୀ ଫୁଟବଲ୍ ଆସୋସିଏସନ୍ (ଓଆର୍‌ଏଫ୍‌ଏ), ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଓ କିଟ୍ ବିଶ୍ୱବିଦ୍ୟାଳୟ ମିଳିତ ଭାବେ ଆୟୋଜନ କରୁଛନ୍ତି। ଏଥିରେ ୨୪ଟି ପୁରୁଷ ଓ ୨୧ଟି ମହିଳା ଟିମ୍‌ରେ ପାଖାପାଖି ୬ ଶହ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି।

ଉଦ୍‌ଘାଟନୀ ଦିବସରେ ଓଡ଼ିଶା ବାଳକ ଦଳ ପୁଲ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ୍‌ରେ ବିଜୟୀ ହୋଇଛି। ଏହି ଦଳ ପୁଲ୍ ପର୍ଯ୍ୟାୟରେ ଚଣ୍ଡିଗଡ଼ ଓ ମଧ୍ୟପ୍ରଦେଶକୁ ପରାସ୍ତ କରିଥିବା ବେଳେ ବାଳିକା ଦଳ ମଧ୍ୟ ଛତିଶଗଡ଼ ଓ ପଣ୍ଡିଚେରୀ ବିପକ୍ଷରେ ବିଜୟୀ ହୋଇ ଶୀର୍ଷ ସ୍ଥାନରେ ରହି ପ୍ରିକ୍ୱାର୍ଟର୍ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ରଗ୍‌ବୀ ଇଣ୍ଡିଆ ବୋର୍ଡ ସଦସ୍ୟ ତଥା ବିଶିଷ୍ଟ ବଲିଉଡ୍ ଅଭିନେତା ରାହୁଲ୍ ବୋଷ, ଓଆର୍‌ଏଫ୍‌ଏ ସଭାପତି ପ୍ରିୟଦର୍ଶୀ ମିଶ୍ର, ସମ୍ପାଦକ ଉପେନ୍ଦ୍ର କୁମାର ମହାନ୍ତି ଅତିଥି ଭାବେ ଯୋଗଦେଇଥିଲେ।

ଏହି ପ୍ରତିଯୋଗିତା ଆୟୋଜନ ପାଇଁ ସମ୍ମତି ଦେଇଥିବା ଅତିଥିଗଣ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗକୁ ଧନ୍ୟବାଦ ଦେଇଥିଲେ। ସେହିପରି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳ ସହ ପ୍ରିକ୍ୱାର୍ଟର୍ ପର୍ଯ୍ୟାୟରେ ପହଞ୍ଚିଥିବା ଓଡ଼ିଶାର ଉଭୟ ବାଳକ ଓ ବାଳିକା ଦଳକୁ ଡ. ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।