କରୋନାରେ ଆକ୍ରାନ୍ତ ସନ୍ଦେହକରି ସାମ୍ବାଦିକଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ, ଏଜେନ୍ସି: କର୍ଣ୍ଣାଟକର ଦେବନଗିରି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହକରି ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ, ଏକ କନ୍ନଡ଼ ଦୈନିକ ସମ୍ବାଦପତ୍ର ‘ବିଜୟ କର୍ଣ୍ଣାଟକ’ରେ ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ପରମେଶ(୪୬) ଜ୍ୱରରେ ପୀଡ଼ିତ ହେବାରୁ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ଭୟଭୀତ ହୋଇପଡ଼ିଥିଲେ। ତାଙ୍କଠାରୁ ଅନ୍ୟମାନଙ୍କୁ ରୋଗ ସଂକ୍ରମିତ ହେବାର ଆଶଙ୍କାକରି ସେ ଏଭଳି ଚରମପନ୍ଥା ଅବଲମ୍ବନ କଲେ ବୋଲି ପୁଲିସ କହିଛି। ତାଙ୍କର ପତ୍ନୀ ଓ ଦୁଇ ସନ୍ତାନ ଅଛନ୍ତି। ‘ବିଜୟ କର୍ଣ୍ଣାଟକ’ରେ କାର୍ଯ୍ୟ କରିବା ପୂର୍ବରୁ ସେ ‘ଆନ୍ଦୋଳନ’, ‘ଲଙ୍କେଶ ପତ୍ରିକା’ ଓ ‘ଜନବାହିନୀ’ ସମ୍ବାଦପତ୍ରରେ ରିପୋର୍ଟର୍ ଭାବେ କାର୍ଯ୍ୟ କରିଥିଲେ। ରେଳବାଇ ପୁଲିସ ପକ୍ଷରୁ ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇ ଅନୁସନ୍ଧାନ ଚାଲିଛି।