ଜେଏନୟୁ ମାମଲାର ତଦନ୍ତ ଆରମ୍ଭ, ସାଧାରଣରେ ତଥ୍ୟ ମାଗିଲା ପୁଲିସ

ନୂଆଦିଲ୍ଲୀ,ଏଜେନ୍ସି: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ହୋଇଥିବା ଛାତ୍ର ସଂଘର୍ଷ ଘଟଣାର ଦିଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିଛି। ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ଦଳ ଓ ବିଭିନ୍ନ ଫରେନସିକ୍‌ ଦଳ ଜେଏନୟୁ ପରିସରରେ ପହଞ୍ଚି ମଙ୍ଗଳବାର ତଦନ୍ତ ଆରମ୍ଭ କରିଛନ୍ତି। ଜୟ ତିର୍କୀଙ୍କ ନେତୃତ୍ୱରେ କ୍ରାଇମ ବ୍ରାଞ୍ଚଳର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ଗଠନ କରାଯାଇଛି। ସେହିପରି ଯୁଗ୍ମ କମିସନର (ପଶ୍ଚିମ ରେଞ୍ଜ)ର ସାଲିନି ସିଂହଙ୍କ ନେତୃତ୍ୱ ତଥ୍ୟ ଅନୁସନ୍ଧାନକାରୀ କମିଟି ଜେଏନୟୁ ପରିସର ପରିଦର୍ଶନ ସହିତ ଛାତ୍ର ଓ ଶିକ୍ଷକଙ୍କ ସହିତ କଥା ହୋଇଛନ୍ତି।

ପୁଲିସ କହିଛି ଯେ ଜେଏନୟୁ ହିଂସା ସମ୍ପର୍କରେ ଯାହା ପାଖରେ କୌଣସି ତଥ୍ୟ ରହିଛି କିମ୍ବା ମୋବାଇଲ ବା କ୍ୟାମେରାରେ ଫଟୋ ଓ ଭିଡିଓ ରହିଛି ସେମାନେ ଏହାକୁ ଉପସ୍ଥାପନ କରିପାରିବେ। ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଘଟଣାର ଫଟୋ, ଭିଡିଓ, ତଥ୍ୟ ଓ ବୟାନ ପ୍ରଶାସନିକ ବ୍ଲକର ଏସଆଇଟି ନିକଟରେ ଦେଇପାରିବେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ସେହିପରି ହ୍ୱାଟ୍ସଆପ ସ୍କ୍ରିନସଟ୍ ଆଧାରରେ ମୋବାଇଲ ନମ୍ବରକୁ ଚିହ୍ନଟ କରାଯାଇଛି। ଏହିସବୁ ମୋବାଇଲ ନମ୍ବର ସୁଇଚ ଅଫ ରହିଛି। ହିଂସା ସମୟରେ ଏହି ମୋବାଇଲ ନମ୍ବରର କେଉଁଠାରେ ଉପସ୍ଥିତି ଥିଲା ତାହା ସିଡିଆର ଆଧାରରେ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ପୁଲିସ କହିଛି।