ଝାଡ଼ଖଣ୍ଡରେ ୮ ଦିନ ଲକଡାଉନ୍ ଘୋଷଣା

ରାଞ୍ଚି,ଏଜେନ୍ସି: ଝାଡ଼ଖଣ୍ଡରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଆଠ ଦିନିଆ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏପ୍ରିଲ ୨୨ରୁ ଏହି ଲକ୍ଡାଉନ୍ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ଲକଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବା ଓ ଧର୍ମୀୟ ଅନୁଷ୍ଠାନ ଖୋଲା ରହିବ। କିନ୍ତୁ ଧର୍ମାନୁଷ୍ଠାନଗୁଡ଼ିକ ଖୋଲା ରହିଲେ ମଧ୍ୟ ସେଠାକୁ ଯିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ ଅନୁମତି ମିଳିବ ନାହିଁ। ଖଣି ଖନନ, ନିର୍ମାଣ ଓ କୃଷି କାର୍ଯ୍ୟ ଜାରି ରହିବ।
ଗତ ରବିବାର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଜ୍ୟରେ କେତେକ କଟକଣା ଜାରି କରିଥିଲେ। ସମସ୍ତ ସ୍କୁଲ, କଲେଜ ଅଙ୍ଗନବାଡ଼ି କେନ୍ଦ୍ର, କୋଚିଂ ସେଣ୍ଟରଗୁଡ଼ିକ ତତ୍କାଳ ବନ୍ଦ ଘୋଷଣା କରାଯାଇଛି। ସମସ୍ତ ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି। ମୁଖ୍ୟମନ୍ତ୍ରୀ ସୋରେନ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର୍ରେ ଏକ ଭିଡିଓ ବାର୍ତ୍ତା ଜାରି କରି ଜନସାଧାରଣଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ଏବେ ବିବାହ ଉତ୍ସବରେ କେବଳ ୫୦ଜଣ ଭାଗ ନେଇପାରିବେ। ଝାଡ଼ଖଣ୍ଡରେ ଗତ ୨୪ଘଣ୍ଟାରେ ପ୍ରାୟ ୨,୪୬୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୪୭୭ରେ ପହଞ୍ôଚଛି। ଗତ ଶନିବାର ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା।