ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୨୦-୨୧ ଯୁଗ୍ମ ପ୍ରବେଶିକ (ଓଜେଏ) ଆଡଭାନ୍ସଡ ଅନୁଷ୍ଠିତ ହୋଇଯାଇଥିବା ବେଳେ ଆସନ୍ତା ୫ ତାରିଖରେ ଏହାର ରେଜଲ୍ଟ ପ୍ରକାଶ ପାଇବ। ରାଜ୍ୟରେ ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାରେ ମୋଟ ୧୮ଟି କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏଥିମଧ୍ୟରୁ ଭୁବନେଶ୍ୱରରେ କେବଳ ୯ଟି ପରୀକ୍ଷା କେନ୍ଦ୍ର ହୋଇଥିଲା। ଓଡ଼ିଶାରୁ ପ୍ରାୟ ୩ ହଜାର ପରୀକ୍ଷାର୍ଥୀ ଦୁଇଟି ସିଟିଂରେ ପରୀକ୍ଷା ଦେଇଥିଲେ। ସକାଳ ୯ରୁ ୧୨ ଓ ଅପରାହ୍ଣ ସାଢ଼େ ୨ଟାରୁ ସାଢ଼େ ୫ଟା ଯାଏଁ ପରୀକ୍ଷା ହୋଇଥିଲା। କମ୍ପ୍ୟୁଟର ବେସ୍ଡ ଟେଷ୍ଟ୍ ବା ସିବିଟି ମୋଡ୍ରେ ଏହି ପରୀକ୍ଷା ହୋଇଛି। ଏଥିସହ ପରୀକ୍ଷା କେନ୍ଦ୍ରରେ କୋଭିଡ୍ ଗାଇଡଲାଇନ୍ ମଧ୍ୟ ପାଳନ କରାଯାଇଥିଲା। ପରୀକ୍ଷା କେନ୍ଦ୍ରରେ ସମସ୍ତ ଛାତ୍ରଛାତ୍ରୀ ମାସ୍କ ପରିଧାନ, ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଥିଲା। ପରୀକ୍ଷା କେନ୍ଦ୍ରଗୁଡ଼ିକୁ ସାନିଟାଇଜ କରାଯାଇଥିଲା।