ବୌଦ୍ଧ ପୁସ୍ତକମେଳା ଉଦଯାପିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବୌଦ୍ଧ ଜିଲ୍ଲା ସଦରମହକୁମା କଚେରୀ ପଡିଆଠାରେ ଡିସେମ୍ବର ୩ ତାରିଖରୁ ଆରମ୍ଭ ହୋଇଥିବା ୭ ଦିନିଆ “ପଂଚଦଶ ବୌଦ୍ଧ ପୁସ୍ତକମେଳା” ଉଦଯାପିତ ହୋଇଯାଇଛି। ଉଦ୍ୟାପନୀ ସଭାରେ ଓଡିଶା ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକ ସଂପର୍କ ପରାମର୍ଶଦାତା ମାନସ ରଂଜନ ମଙ୍ଗରାଜ, ଉତ୍କଳ ପ୍ରସଙ୍ଗର ସଂପାଦକ ଡଃ. ଲେନିନ୍ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡିଆ ସାହିତ୍ୟର ଅଭିବୃଦ୍ଧି ଏବଂ ଓଡିଆ ପୁସ୍ତକର ଆଦୃତି ବଢାଇବାରେ ପୁସ୍ତକମେଳା ଆୟୋଜନର ଯଥାର୍ଥତା ରହିଛି ବୋଲି ମତ ପ୍ରକାଶ କରିଥିଲେ। ବିଭିନ୍ନ ସ୍ଥାନରେ ପୁସ୍ତକମେଳା ଆୟୋଜନ କରାଯିବା ଫଳରେ ପାଠକପାଠିକାଙ୍କ ନିକଟରେ ରୁଚି ଅନୁଯାୟୀ ପୁସ୍ତକ ଉପଲବ୍ଧ ହୋଇପାରୁଛି ଏବଂ ଆୟୋଜକ ଅନୁଷ୍ଠାନମାନଙ୍କର ଆନ୍ତରିକତା ଓ ନିଷ୍ଠାପରତା ଯୋଗୁଁ ଏହା ସମ୍ଭବ ହୋଇପାରୁଛି ବୋଲି ଅତିଥିମାନେ ମନ୍ତବ୍ୟ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ ଓ ଦୈନିକ ସମ୍ବାଦର ଉପମହାପ୍ରବନ୍ଧକ ଦେବେନ୍ଦ୍ର ସାମନ୍ତରାୟ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ପୁସ୍ତକମେଳା ଆୟୋଜକଙ୍କ ପକ୍ଷରୁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଉପସ୍ଥିତିରେ ଏହି ଉଦଯାପନୀ ସଂଧ୍ୟା ଅବସରରେ ଗଣମାଧ୍ୟମ ଓ ଲୋକ ସଂପର୍କ ଉପଦେଷ୍ଟା ଶ୍ରୀ ମଙ୍ଗରାଜ ଓ ଉତ୍କଳ ପ୍ରସଙ୍ଗର ସଂପାଦକ ଡଃ. ମହାନ୍ତିଙ୍କୁ “ବାର୍ତ୍ତାବହ ସମ୍ମାନ-୨୦୧୯”ରେ ସମ୍ମାନିତ କରାଯାଇଥିଲା।