ବଡ଼ଗାମରେ ତହସିଲ ଅଫିସ୍‌ରେ ପଶି ଗୁଳିମାଡ଼ କଲେ ଆତଙ୍କବାଦୀ, ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ

ଜମ୍ମୁ କଶ୍ମୀର,ଏଜେନ୍ସି: ଜମ୍ମୁ କଶ୍ମୀରରେ ପୁଣି ଥରେ ଆତଙ୍କବାଦୀମାନେ କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିଛନ୍ତି। ଆତଙ୍କବାଦୀମାନେ ବଡଗାମର ଚାଡୁରା ଅଞ୍ଚଳରେ ଥିବା ତହସିଲ ଅଫିସରେ ପଶି ଜଣେ ସରକାରୀ କର୍ମଚାରୀଙ୍କୁ ଗୁଳି ମାରିଥିଲେ। ଜମ୍ମୁ କଶ୍ମୀର ପୁଲିସ ସୂଚନା ଅନୁସାରେ ରାହୁଲ ଭଟ୍ଟ ନାମକ ଜଣେ ବ୍ୟକ୍ତିଙ୍କ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ରାହୁଲ ଭଟ୍ଟଙ୍କୁ ଶ୍ରୀନଗର ଏସ୍‌ଏମ୍‌ଏଚ୍‌ଏସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଏହି ଆକ୍ରମଣ ପଛରେ ଜୈଶ ସହିତ ଜଡିତ ଆତଙ୍କବାଦ ସଂଗଠନ କଶ୍ମୀର ଟାଇଗର୍‌ସ ରହିଛି।

ପୁଲିସ ସୂଚନା ଅନୁସାରେ ଆକ୍ରମଣ ପରେ ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କୁ ଖୋଜାଖୋଜି ଆରମ୍ଭ କରିଦେଇଛନ୍ତି। ପ୍ରାଥମିକ ତଦନ୍ତ ଅନୁସାରେ ଏହି ଆକ୍ରମଣରେ ୨ ଜଣ ସାମିଲ ଅଛନ୍ତି ଏବଂ ଏହି ଅପରାଧ ପାଇଁ ସେମାନେ ପିସ୍ତଲ ବ୍ୟବହାର କରିଛନ୍ତି।

ଏହି ଘଟଣାକୁ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜାତୀୟ କନଫରେନ୍ସର ଅଧ୍ୟକ୍ଷ ଉମର ଅବଦୁଲ୍ଲା ନିନ୍ଦା କରିଛନ୍ତି। ସେ କହିଛନ୍ତି କି ମୁଁ ରାହୁଲ ଭଟ୍ଟ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରୁଛି। ରାହୁଲ ତହସିଲ କାର୍ଯ୍ୟାଳୟରେ କାମ କରୁଥିବା ବେଳେ ଆତଙ୍କବାଦୀମାନେ ସେଠାକୁ ଯାଇ ତାଙ୍କୁ ହତ୍ୟା କରିଛନ୍ତି। ଫଳରେ ଭୟର ବାତାବରଣ ବଢିଯାଇଛି। ରାହୁଲଙ୍କ ପରିବାର ପ୍ରତି ମୋର ହାର୍ଦ୍ଦିକ ସମବେଦନା ଜଣାଉଛି।