ଜମ୍ମୁ କଶ୍ମୀର: ସୁରକ୍ଷାବଳକୁ ବଡ଼ ସଫଳତା, ଏନ୍‌କାଉଣ୍ଟରରେ ହିଜ୍‌ବୁଲର ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ,ଏଜେନ୍ସି: ଜମ୍ମୁ କଶ୍ମୀରରେ ଆତଙ୍କବାଦୀମାନେ ସବୁବେଳେ ସକ୍ରିୟ ରହୁଛନ୍ତି। ସେନାର କାର୍ଯ୍ୟାନୁଷ୍ଠାନକୁ ଖାତିର କରୁ ନାହାନ୍ତି। ଏହାରି ମଧ୍ୟରେ ସୁରକ୍ଷାବାହିନୀର ଯବାନମାନଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀର ଯବାନମାନେ କୁଲଗାମରେ ହୋଇଥିବା ଏନ୍‌କାଉଣ୍ଟରରେ ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ ମୁଜାଇଦିନର ଜଣେ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଜାତୀୟ ଗଣମାଧ୍ୟମକୁ ଜମ୍ମୁ କଶ୍ମୀର ପୋଲିସ ଏହି ସୂଚନା ଦେଇଛି।

ସୂଚନା ଅନୁସାରେ କୁଲଗାମର ଖଣ୍ଡୀପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଚଳପ୍ରଚଳ କରିବା ନେଇ ସୁରକ୍ଷା ବାହିନୀକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଯମାନମାନେ ଘଟଣାସ୍ଥଳକୁ ଘେରାବନ୍ଦୀ କରିଥିଲେ। ତେବେ ହିଜବୁଲର ଆତଙ୍କବାଦୀ ଯବାନଙ୍କୁ ଦେଖି ଛାନିଆ ହୋଇଯାଇଥିଲା। ସେ ପ୍ରଥମେ ଗୁଳି କରିଥିଲା। କିନ୍ତୁ ଯବାନଙ୍କ ପାଲଟା ଜବାବରେ ନିହତ ହୋଇଥିଲା। ସୁରକ୍ଷାବାହିନୀ ଘଟଣାସ୍ଥଳରୁ ବନ୍ଧୁକ ଓ ଗୁଳି ଜବତ କରିଛି। ଏହି ଅଞ୍ଚଳରେ ଆହୁରି ଆତଙ୍କବାଦୀ ଥାଇ ପାରନ୍ତି ବୋଲି ସନ୍ଦେହ ହେଉଛି। ସେଥିପାଇଁ ସେନା ନିଜର ଅପରେଶନ ଜାରି ରଖିଛି।