ଜମ୍ମୁ କଶ୍ମୀରରେ ପୁଲିସ ଟିମ୍ ଉପରେ ଆତଙ୍କୀ ଆକ୍ରମଣ: ଜଣେ ଯବାନ ସହିଦ, ୨ ଆହତ

ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରର କୁଲଗାମରେ ପୁଲିସ ଟିମ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଗତକାଲି ସନ୍ଧ୍ୟାରେ ପୁଲିସ ଟିମ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣ ପରେ ସଂପୃକ୍ତ ଅଞ୍ଚଳକୁ ଘେରା ବନ୍ଦୀ କରାଯାଇଛି। ଏଥିସହ ଉକ୍ତ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

ସୂଚନା ଅନୁଯାୟୀ ପୁଲିସର ଟିମ୍ କୁଲଗାମର ପମୱେ ଲାଇନକୁ ଯାଉଥିଲେ। ସେହି ସମୟରେ ଲୁଚି ରହିଥିବା ଆତଙ୍କବାଦୀମାନେ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଫଳରେ ୩ ଜଣ ଯବାନ ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ। ସେମାନଙ୍କୁ ସଂଗେ ସଂଗେ ହସ୍ପିଟାଲ ନିଆଯାଇଥିଲା। ତେବେ ଜଣେ ଯବାନର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଆକ୍ରମଣ ପରେ ଅତିରିକ୍ତ ଯବାନମାନେ ଘଟଣାସ୍ଥଳକୁ ଘେରାବନ୍ଦୀ କରିଛନ୍ତି।