ଜଳସାଥୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ପାଇପ ଜଳଯୋଗାଣ ପରିଚାଳନା ଦାୟିତ୍ୱ

ଭୁବନେଶ୍ୱର,୧୮ା୧୨/ଏନ୍ଏନ୍ଏସ୍: ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ରେଳବାଇ ଅଡିଟୋରିୟମରେ ଜଳସାଥୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଉକ୍ତ ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ପରିବାରର ସ୍ୱାସ୍ଥ୍ୟ ପ୍ରତି ମା’ମାନେ ଅଧିକ ଯତ୍ନବାନ୍ ଥାଆନ୍ତି ଏବଂ ଭଲ ପିଇବା ପାଣିର ଉତ୍ତମ ସ୍ୱାସ୍ଥ୍ୟ ସହିତ ସମ୍ପର୍କ ରହିଛି। ତେଣୁ ପିଇବା ପାଣିର ପରିଚାଳନା ଦାୟିତ୍ୱ ମା’ମାନଙ୍କୁ ଦିଆଯିବା ଏକ ପ୍ରଶଂସନୀୟ ପଦକ୍ଷେପ।

ମହିଳାମାନଙ୍କର ଅର୍ଥନୈତିକ ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ଧାନ ସଂଗ୍ରହଠାରୁ ଆରମ୍ଭକରି କରି ଛତୁଆ ଯୋଗାଣ, ବିଦ୍ୟୁତ୍ ମିଟର ରିଡିଂ ପରି ଅନେକ ଦାୟିତ୍ୱ ଦେଇଛନ୍ତି ଏବଂ ସେମାନେ ମଧ୍ୟ ସଫଳତାର ସହ ନିର୍ବାହ କରୁଛନ୍ତି। ତେଣୁ ଜଳସାଥୀ ଭାବେ ମା’ମାନେ ଲୋକଙ୍କ ବିଶ୍ୱାସ ଓ ଭରସା ହାସଲ କରିବା ସହିତ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିବେ। ‘ପ୍ରତି ପରିବାରକୁ ପାଇପ୍‌ ପାଣି’ ଯୋଗାଣ କାର୍ଯ୍ୟକ୍ରମକୁ ଜଳସାଥୀମାନେ  ସଫଳତାର ସହ ଆଗେଇନେବେ ବୋଲ ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଳସାଥୀମାନଙ୍କୁ ଜଳର ମାନ ପରୀକ୍ଷା କିଟ୍‌ ଓ ପିଓଏସ ମେସିନ୍‌ ବଣ୍ଟନ କରିଥିଲେ। ଜଳସାଥୀମାନେଘରକୁ ଘର ବୁଲି ଲୋକଙ୍କୁ ନୂତନ ଜଳସଂଯୋଗ କରିବେ, ମାସକୁ ମାସ ଜଳ ଯୋଗାଣ ଦେୟ ଆଦାୟ କରିବେ ଏବଂ ନିଜ ଅଞ୍ଚଳରେ ନିୟମିତ ଭାବେ ଜଳର ମାନ ପରୀକ୍ଷା କରିବା ସହ ଜନସାଧାରଣଙ୍କ ଅଭାବ ଅଭିଯୋଗକୁ ସରକାରଙ୍କ ନିକଟରେ ପହଞ୍ଚାଇବାକୁ ସହଯୋଗ କରିବେ। ଉକ୍ତ କାର୍ଯ୍ୟକ୍ରମ ଆଜିଠାରୁ ଭୁବନେଶ୍ୱରର ୮ଗୋଟି ୱାର୍ଡରେ  ଆରମ୍ଭ କରାଗଲା। ଏଥିନିମନ୍ତେ ୱାଟ୍କୋ ଓ ମହିଳା ସ୍ୱୟଂ ସହାୟକ ମହାସଂଘ ସହିତ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱର ତଥା ରାଜ୍ୟର ସମସ୍ତ ସହରାଞ୍ଚଳରେ ସମ୍ପୂର୍ଣ୍ଣ ଭାବେ ଏହା କାର୍ଯ୍ୟକାରୀ ହେବ।

ଏହାଦ୍ୱାରା ୧୨ଲକ୍ଷରୁ ଅଧିକ ପରିବାରକୁ ଦୈନିକ ୯୦ ନିୟୁତ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି। ୭୦ଲକ୍ଷ ଲୋକ ଏହି ଯୋଜନା ଦ୍ୱାରା ଉପକୃତ ହେବେ। ରାଜ୍ୟର ସହରାଞ୍ଚଳ ଲୋକମାନେ ସେମାନଙ୍କର ଜଳଯୋଗାଣ ଦେୟ ଘରେ ବସି ପଇଠ କରିବା ସହିତ ଯୋଗାଇ ଦିଆଯାଉଥିବା ଜଳର ମାନ ମଧ୍ୟ ଘରେ ପରୀକ୍ଷା କରିପାରିବେ। ସାରା ରାଜ୍ୟରେ ୫ହଜାର ଜଳସାଥୀ ଉକ୍ତ କାର୍ଯ୍ୟକ୍ରମରେ ନିୟୋଜିତ ହେବେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକସର୍ବଶ୍ରୀ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ନଗର ଉନ୍ନୟନ ପ୍ରମୁଖ ସଚିବ ଜ.ମାଥି ଭାତନାନ୍ ଓ ମିଶନ ଶକ୍ତିର ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ମଧ୍ୟ ଉପସ୍ଥିତ ଥିଲେ।