ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଆସିବ ଜାଇଡସ କାର୍ଡିଲାର ୭ କୋଟି ଡୋଜ

  • ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ କହିଛନ୍ତି ଯେ, ଟିକାକରଣ ଉପରେ ସରକାରଙ୍କ ସମସ୍ତ ଧ୍ୟାନ ରହିଛି। ଏହି ଦିଗରେ ଅନେକ କାମ ଚାଲିଛି । ମଙ୍ଗଳବାର ରାଜ୍ୟ ସଭାରେ ସେ କହିଛନ୍ତି ଅହମ୍ମଦାବାଦସ୍ଥିତ ଜାଇଡସ କାର୍ଡିଲା ଦ୍ୱାରା ବିକଶିତ କୋଭିଡ-୧୯ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି ଏବଂ ଏହି ଟିକା ବଜାରରେ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଉପଲବ୍ଧ ହେବ।
    ରାଜ୍ୟସଭାରେ ବିବୃତି ଦେଇ ମାଣ୍ଡଭିଆ କହିଛନ୍ତି, ଜାଇଡସ କାର୍ଡିଲା ଦ୍ୱାରା ବିକଶିତ ଜିକୋଭ-ଡି ଭାରତର ପ୍ରଥମ ଡିଏନ୍ଏ ଟିକା ହେବ ଏବଂ ୭ କୋଟି ଡୋଜ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ଜିକୋଭ-ଡି ହେଉଛି ଏକ ଡିଏନଏ ପ୍ଲାସିମଡ଼ ଟିକା, ଯାହା ଭୂତାଣୁର ଡିଏନଏ କିମ୍ବା ଆରଏନଏର ଏକ ଅଂଶକୁ ବ୍ୟବହାର କରିଥାଏ।
    ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଟିକା ଦେବା ପାଇଁ କମ୍ପାନୀ ଜରୁରୀକାଳୀନ ବ୍ୟବହାର ପାଇଁ ଆବେଦନ କରିସାରିଛି। ସେହିପରି କରୋନା ଯୋଗୁଁ ହେଉଥିବା ମୃତ୍ୟୁ ସଂଖ୍ୟାକୁ କେନ୍ଦ୍ର ସରକାର ଲୁଚାଉଥିବା ଅଭିଯୋଗକୁ ମନ୍ତ୍ରୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ କରୋନା ପଞ୍ଜିକରଣ ରାଜ୍ୟଗୁଡିକ ଦ୍ୱାରା କରାଯାଇଥାଏ ଏବଂ କେନ୍ଦ୍ର କୌଣସି ରାଜ୍ୟକୁ କମ୍ ସଂଖ୍ୟକ ମୃତ୍ୟୁ କିମ୍ବା ମାମଲା ପଞ୍ଜିକରଣ କରିବାକୁ କହିନାହିଁ।