ଜ୍ୟାକଲିନଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ୨୦୦ କୋଟି ମନି ଲଣ୍ଡ୍ରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଦିଲ୍ଲୀ ପଟିୟାଲା ହାଉସ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ଗତ କିଛି ଦିନରୁ ଦିଲ୍ଲୀ ପୁଲିସର ଆର୍ଥିକ ଅପରାଧ ଶାଖା ଜ୍ୟାକଲିନଙ୍କୁ ଲଗାତାର ଜେରା କରୁଥିଲା । ଇତିମଧ୍ୟରେ ଜ୍ୟାକଲିନ ଦିଲ୍ଲୀର ପଟିୟାଲା ହାଉସ କୋର୍ଟରେ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ। କୋର୍ଟ ଜ୍ୟାକଲିନଙ୍କ ଆବେଦନକୁ ଗ୍ରହଣ କରି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜ୍ୟାକଲିନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଓକିଲଙ୍କ ମଧ୍ୟରେ ସେ କୋର୍ଟ ପରିସରରୁ ବାହାରୁଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ବିଶେଷ ବିଚାରପତି ଶୈଳନ୍ଦ୍ର ମଲ୍ଲିକ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଳିକାରେ ଜ୍ୟାକଲିନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ମାମଲାର ଆଗାମୀ ଶୁଣାଣୀ ଅକ୍ଟୋବର ୨୨ ତାରିଖରେ ହେବ । ଏହାପୂର୍ବରୁ ଅଗଷ୍ଟ ୩୧ ତାରିଖରେ ବିଚାରପତି ପ୍ରବୀଣ ସିଂହ ଇଡି ଦ୍ୱାରା ଦାଖଲ ହୋଇଥିବା ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟର ବିଚାର କରି ଜ୍ୟାକଲିନଙ୍କୁ ଅଦାଲତ ସମ୍ମୁଖରେ ହାଜର ହେବାକୁ କହିଥିଲେ ।