ସାଟେଲାଇଟ୍‌ ‘ଜିସାଟ୍‌-୩୦’ର ସଫଳ ଉତ୍‌କ୍ଷେପଣ

ନୂଆଦିଲ୍ଲୀ : ଭାରତର ଅତି ଶକ୍ତିଶାଳୀ ଯୋଗାଯୋଗ ଉପଗ୍ରହ ଜିସାଟ୍‍-୩୦ ଗୁରୁବାର ସକାଳ ସଫଳତାର ସହିତ ଫ୍ରେଞ୍ଚ୍‍ ଗାଏନାସ୍ଥିତ ଉତକ୍ଷେପଣ କେନ୍ଦ୍ରରୁ ମହାକାଶକୁ ପଠାଯାଇଛି। ଦକ୍ଷିଣ ଆମେରିକାର ଉତ୍ତର-ପୂର୍ବ ଉପକୂଳ କାଇରୋର ଆରିୟନ ପରିସରରୁ ଏରିଏନ୍‍-୫ ସ୍ପେସ ରକେଟ୍‍ ଦ୍ୱାରା ଏହାକୁ ପ୍ରେରଣ କରାଯାଇଛି ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ – ଇସ୍ରୋ ପକ୍ଷରୁ କୁହାଯାଇଛି ।

ମାତ୍ର ୩୮ ମିନିଟ ୨୫ ସେକେଣ୍ଡ ପରେ ‘ଜିସାଟ୍‍-୩୦’ ଉପଗ୍ରହ ଏରିଏନ୍‍-୫ ସ୍ପେସ ରକେଟ୍‍ ଠାରୁ ସଫଳ ଭାବରେ ଅଲଗା ହୋଇଛି । ଉଚ୍ଚମାନର ଟେଲିଭିଜନ୍‍, ଟେଲି ଯୋଗାଯୋଗ ଏବଂ ପ୍ରସାରଣ ସେବା ଯୋଗାଇବା ପାଇଁ ଏହି ଉପଗ୍ରହ ଉଦ୍ଦିଷ୍ଟ । ଏହାର ଓଜନ ୩ ହଜାର ୩୫୭ କିଲୋଗ୍ରାମ୍‍ ଏବଂ ଏହା ଇନ୍‍ସାଟ୍‍/ଜିସାଟ୍‍ ଶ୍ରେଣୀର ଅତ୍ୟାଧୁନିକ ଉପଗ୍ରହ। ଏହା ଭାରତର ୨୪ତମ ଉପଗ୍ରହ । ୨୦୦୫ ମସିହାରେ ଉତକ୍ଷେପଣ କରାଯାଇଥିବା ଇନ୍‍ସାଟ୍‍-ଫୋର୍‍ ଏ’ ଉପଗ୍ରହର କାର୍ୟ୍ୟକାଳ ସରି ଆସୁଥିବାରୁ ତା’ ବଦଳରେ ଜିସାଟ୍‍-୩୦ କାର୍ୟ୍ୟ କରିବ ।