ଆକାଶରୁ ଖସିଛି ଚୀନ ସାଟେଲାଇଟ୍ ଭଗ୍ନାବଶେଷ, ଯାଞ୍ଚ ଆରମ୍ଭ କଲା ଇସ୍ରୋ

ମୁମ୍ବାଇ,ଏଜେନ୍ସି: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)ର ଏକ ଟିମ ଆଜି ପୂର୍ବ ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ଗସ୍ତ କରିଛନ୍ତି। ତେବେ ଆକାଶରୁ ଖସିଥିବା ଅଜ୍ଞାତ ଜିନିଷର ଯାଞ୍ଚ ପାଇଁ ଯାଇଛନ୍ତି ଇସ୍ରୋର ବୈଜ୍ଞାନିକ। ଏହି ଅଜ୍ଞାତ ଜିନିଷ ଏକ ସପ୍ତାହ ପୂର୍ବରୁ ଆକାଶରୁ ଖସିଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ତେବେ ଏହା ଚୀନ ସାଟେଲାଇଟର ଭଗ୍ନାବଶେଷ ବୋଲି ଚର୍ଚ୍ଚା ମଧ୍ୟ ଜୋର ଧରିଛି।

ସେହିପରି ଗତ ସପ୍ତାହରେ ଗୋଟିଏ ମେଟାଲ ରିଙ୍ଗ ଏବଂ ୬ଟି ସିଲିଣ୍ଡର ଭଳି ଜିନିଷ ଚନ୍ଦ୍ରପୁର ଜିଲ୍ଲା ଅନ୍ତର୍ଗତ ସିନ୍ଦେୱାହି ମିଳିଥିଲା। ଏଥିସହ ଅନେକ ପର୍ଯ୍ୟବେକ୍ଷକଙ୍କ କହିବା ଅନୁଯାୟୀ, ଉତ୍ତର ମହାରାଷ୍ଟ୍ରର କିଛି ଅଂଶ ଏବଂ ମଧ୍ୟପ୍ରଦେଶରେ ମଧ୍ୟ ଏହି ଜିନିଷଗୁଡିକ ଉଲକାପିଣ୍ଡ ପରି ଖସିଥିବା ଏପ୍ରିଲ ୨ ତାରିଖ ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା। ଏହା ସହିତ କିଛି ବିଶେଷଜ୍ଞଙ୍କ କହିବା କଥା, ଏହା ହେଉଛି ପୋଡି ଯାଇଥିବା ବୁଷ୍ଟର ରକେଟ୍‌ର ଅଂଶ ବିଶେଷ।

ସେହିଭଳି ସାଟେଲାଇଟ ଲଞ୍ଚିଙ୍ଗ୍‌ ବେଳେ ଏହି ଜିନିଷ ବ୍ୟବହାର ହୋଇଥାଏ ବୋଲି ବିଶେଷଜ୍ଞ କହିଛନ୍ତି। ତେବେ ନାଗପୁରରେ ଥିବା ଭାରତର ଭୂତ୍ବତ୍ତ ସର୍ବେକ୍ଷଣ ଏହି ଅଜ୍ଞାତ ଜିନିଷ ଉପରେ କୌଣସି ଉତ୍ତର ଦେବାକୁ ମନା କରିବା ସହ ଯାଞ୍ଚ ନହେବା ପର୍ଯ୍ୟନ୍ତ କିଛି କହିବାକୁ ମନା କରି ଦେଇଥିଲେ। ଏପଟେ ଲାଡବୋରି ଗାଁରେ ଏକ ଖୋଲା ପ୍ଲଟରୁ ଏକ ଆଇରନ ରିଙ୍ଗ ଏପ୍ରିଲ ତାରିଖ ସଂଧ୍ୟା ୭.୫୦ରେ ଦେଖିବାକୁ ମିଳିଥିଲା।