ଇତିହାସ ରଚିଲା ଇସ୍ରୋ: ସବୁଠୁ ଭାରି ରକେଟରେ ୩୬ଟି ଉପଗ୍ରହର ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ,ଏଜେନ୍ସି: ମହାକାଶରେ ଆଉ ଏକ ଇତିହାସ ରଚିଲା ଇସ୍ରୋ । ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ଇସ୍ରୋ) ଶନିବାର ବିଳମ୍ବିତ ରାତି ପ୍ରାୟ ୧୨ଟା ୭ରେ ରକେଟ୍ ନେଟୱାର୍କ ଆକ୍ସେସ୍ ଆସୋସିଏଟେଡ୍ ଲିମିଟେଡର ୩୬ଟି ବ୍ରଡବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ ଉତକ୍ଷେପଣ କରିଛି । ଇସ୍ରୋର ସବୁଠୁ ଓଜନିଆ ରକେଟ ‘ଏଲ୍‌ଭିଏମ୍‌-୩’ ସହାୟତାରେ ଏହାର ସଫଳ ଉତକ୍ଷେପଣ ହୋଇଛି । ସମସ୍ତ ଉପଗ୍ରହ ଗୁଡିକ ସଫଳତାର ସହ କକ୍ଷପଥର ଅବସ୍ଥାପିତ ହୋଇଛି ।

ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତିଶ ଧାୱନ ରକେଣ୍ଟ ସେଣ୍ଟରରୁ ଏହି ଉତକ୍ଷେପଣ କରିଛି ଇସ୍ରୋ । ଏହି ୩୬ଟି ଉପଗ୍ରହକୁ ପୃଥିବୀରେ ଖୁବ୍ ନିକଟତର କକ୍ଷପଥରେ ଅବସ୍ଥାପିତ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନ ଦ୍ବାରା ଏହି ଐତିହାସିକ ଲକ୍ଷ୍ୟ ସାଧନ ହୋଇପାରିଛି ବୋଲି ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି । ଏହାସହିତ ସେ କହିଛନ୍ତି, ଚନ୍ଦ୍ରଯାନ-୩ ପ୍ରାୟତଃ ପ୍ରସ୍ତୁତ ହୋଇସାରିଛି । ଚୂଡାନ୍ତ ପରୀକ୍ଷା ମଧ୍ୟ ସରିଛି । ଆଉ କିଛି କାମ ବାକି ଅଛି । ତେଣୁ ଆସନ୍ତା ବର୍ଷ ଫବୃୟାରୀ କିମ୍ବା ଜୁନରେ ଚନ୍ଦ୍ରଯାନ ୩ ଉତକ୍ଷେପଣ କରାଯିବ ।

କହିରଖୁଛି, ‘ୱାନୱେବ’ ହେଉଛି ଏକ ଘରୋଇ ଉପଗ୍ରହ ଯୋଗାଯୋଗ କମ୍ପାନୀ । ଭାରତୀ ଏଣ୍ଟରପ୍ରାଇଜେସ୍ ୱାନୱେବର ଏକ ପ୍ରମୁଖ ନିବେଶକ ଏବଂ ଅଂଶୀଦାର । ଏହି ଅଭିଯାନ ବିଶ୍ବ ବାଣିଜ୍ୟିକ ଉନ୍ମୋଚନ ସେବା କ୍ଷେତ୍ରରେ ଏଲ୍‌ଭିଏମ୍‌-୩କୁ ଏକ ସ୍ବତନ୍ତ୍ର ସ୍ବୀକୃତି ଦେବ ବୋଲି ବିବୃତ୍ତିରେ କୁହାଯାଇଛି । ସ୍ପେସ୍ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ସେଣ୍ଟ୍ରାଲ୍ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ (ଏନ୍ଏସ୍‌ଆଇଏଲ୍‌) କହିଛି ଯେ ଏହା ଏନ୍ଏସ୍‌ଆଇଏଲ୍‌ ମାଧ୍ୟମରେ ଏଲ୍‌ଭିଏମ୍‌-୩ର ପ୍ରଥମ ବ୍ୟବସାୟିକ ଉନ୍ମୋଚନ ।