ବଲିଉଡ ଜଗତର ସୁପ୍ରସିଦ୍ଧ କଳାକାର ଇରଫାନ ଖାନ୍ ଆଉ ନାହାନ୍ତି। ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଇରଫାନ ଏକ ମାଇଲ ଖୁଣ୍ଟ କହିଲେ ଅତ୍ୟୁକ୍ତି ହେବନାହିଁ। ଏପରିି ଏକ କଳାକାରର ବିୟୋଗରେ କଳା ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। କଳାକାର ଭାବେ ପଦ୍ମଶ୍ରୀ ହାସଲ କରିବା ସହ ୫୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରି ଫିଲ୍ମଫେୟାର ଆୱାର୍ଡ ଓ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଭଳି ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ।
ରାଜସ୍ଥାନର ଟୋଙ୍କ ଜିଲ୍ଲାର ଖଜୁରିଆ ଗ୍ରାମର ଏକ ମୁସଲମାନ ପରିବାରରେ ଜାନୁଆରୀ ୭, ୧୯୬୭ରେ ଇରଫାନ ଜନ୍ମଗ୍ରହଣ କରିଥିଲେ। ମାଆ ବେଗମ ଖାନ ଏବଂ ବାପା ଜାଗିରଦାର ଖାନଙ୍କର ଇରଫାନ ଥିଲେ ପ୍ରଥମ ସନ୍ତାନ। ତାଙ୍କର ଏକ ଟାୟାର ଦୋକାନ ଥିଲା। ପିଲାଦିନୁ କ୍ରିକେଟରେ ରୁଚି ରଖିଥିବା ଇରଫାନ ଅଣ୍ଡର-୨୩ ସିକେ ନାଇଡୁ ଟୁର୍ଣ୍ଣାମେଣ୍ଟରେ ‘ଏମର୍ଜିଂ ପ୍ଲେୟର ଅଫ୍ ଦି ମ୍ୟାଚ୍’ ମଧ୍ୟ ହୋଇଥିଲେ। କିନ୍ତୁ ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିବାରୁ ସେ କ୍ରିକେଟ ଜଗତରୁ ଓହରି ଆସିଥିଲେ। ପରେ ସେ ୧୯୮୪ ମସିହାରେ ନୂଆଦିଲ୍ଲୀର ଜାତୀୟ ଡ୍ରାମା ସ୍କୁଲ (ଏନ୍ଏସଡି) ରେ ମେଧାବୃତ୍ତି ପାଇ ଅଭିନୟରେ ଏମଏ ଡିଗ୍ରୀ ହାସଲ କରିଥିଲେ।

୨୦୧୮ରେ ଇର୍ଫାନଙ୍କୁ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମର ନାମକ ଏକ ବିରଳ ବ୍ରେନ୍ କ୍ୟାନ୍ସର ହୋଇଥିବା ଜଣା ପଡ଼ିବା ପରେ ଚିକିତ୍ସା ପାଇଁ ସେ ଲଣ୍ଡନ ଯାଇଥିଲେ। ସେଠାରୁ ଫେରି ସେ ‘ଅଂଗ୍ରେଜୀ ମିଡିୟମ୍’ ଫିଲ୍ମର ସୁଟିଂ ଶେଷ କରିଥିଲେ।