ଲକଡାଉନ୍ ଅବଧି ବଢ଼ିଲା: ପରିବର୍ତ୍ତିତ ତାରିଖରେ ବି ଆଇପିଏଲ୍ ଅନିଶ୍ଚିତତା

ମୁମ୍ବାଇ,ଏଜେନ୍ସି: ଚଳିତ ବର୍ଷ ଆଇପିଏଲ୍ର ଦର୍ଶକମାନଙ୍କ ପାଇଁ ପୁଣିଥରେ ଖରାପ ଖବର ଆସିିଛି। ଆୟୋଜକ ବିସିସିଆଇ ପକ୍ଷରୁ ଗତ ମାର୍ଚ୍ଚ ୨୯ରେ ଏହି ପ୍ରତିଯୋଗିତାର ତ୍ରୟୋଦଶ ସଂସ୍କରଣ ଆୟୋଜିତ ହେବା ସକାଶେ ଥିଲେ ମଧ୍ୟ କରୋନା ଭୂତାଣୁର ବ୍ୟାପକତା ପରିପ୍ରେକ୍ଷୀରେ ଏହାକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। କିନ୍ତୁ ମଙ୍ଗଳବାର କେନ୍ଦ୍ର ସରକାର ଲକଡାଉନ୍ ଅବଧିରେ ଆହୁରି ୧୯ ଦିନ ବୃଦ୍ଧି କରିବା ଫଳରେ ପରିବର୍ତ୍ତିତ କାର୍ଯ୍ୟସୂଚୀରେ ବି ଆଇପିଏଲ୍ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ହୋଇପାରିନାହିଁ। ଅବଶ୍ୟ ଏନେଇ ବିସିସିଆଇ ପକ୍ଷରୁ କୌଣସି ପ୍ରକାର ସୂଚନା ଦିଆଯାଇନାହିଁ। କିନ୍ତୁ ବିସିସିଆଇ ପକ୍ଷରୁ ଏହାର ୮ଟି ଫ୍ରାଞ୍ଚାଇଜି ଓ ପ୍ରସାରକଙ୍କୁ ବର୍ତ୍ତମାନ ଆଇପିଏଲ୍ ଆରମ୍ଭ ହୋଇପାରିନାହିଁ ବୋଲି କୁହାଯାଇଥିଲେ ହେଁ ଏହାକୁ ବାତିଲ୍ କରାଯାଇଛି ବୋଲି କୁହାଯାଇ ନ ଥିବା ନିର୍ଦ୍ଦିଷ୍ଟ ସୂତ୍ରରୁ ଜଣାପଡ଼ିଛି।

କେନ୍ଦ୍ର ସରକାରଙ୍କ ଲକଡାଉନ୍ ଅବଧି ବଢ଼ିବା ପରେ ପରେ ଏହି ଟୁର୍ଣ୍ଣାମେଣ୍ଟ୍ ଏପ୍ରିଲ୍-ମେ’ ୱିଣ୍ଡୋରେ ଆୟୋଜିତ ହେବାର ସମସ୍ତ ସମ୍ଭାବନା ଶେଷ ହୋଇଛି। ଲକଡାଉନ୍ ଅବଧି ମେ’ ୩ ପର୍ଯ୍ୟନ୍ତ ବଢ଼ାଯାଇଥିବାରୁ ଏହା ପରେ ହିଁ ବିସିସିଆଇ ପକ୍ଷରୁ କୌଣସି ପ୍ରକାର ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ୨୦୦୮ରୁ ଆରମ୍ଭ ହୋଇଥିବା ଆଇପିଏଲ୍ ଇତିମଧ୍ୟରେ ୧୨ଟି ସଂସ୍କରଣ ପୂରଣ କରିସାରିଥିଲେ ହେଁ ଅଦ୍ୟାବଧି ଗୋଟିଏ ସିଜନ୍ ବି ବାତିଲ୍ ହୋଇନାହିଁ। କିନ୍ତୁ ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ୍ ବାତିଲ୍ ହେବା ସ୍ଥିତିରେ ପହଞ୍ଚିଯାଇଛି ବୋଲି ମଧ୍ୟ ଆଲୋଚନା ହେଉଛି। ପୂର୍ବରୁ ବିସିିସିଆଇ ଏହି ଟୁର୍ଣ୍ଣାମେଣ୍ଟ୍ର ଧାର୍ଯ୍ୟ ତାରିଖ ଘୁଞ୍ଚାଇଥିଲେ ହେଁ ଏପ୍ରିଲ୍ ୧୫ରୁ ଏହା ଆରମ୍ଭ ହେବ ବୋଲି କେହି ବି ଆଶା ପୋଷଣ କରିପାରି ନ ଥିଲେ। ସଭାପତି ସୌରଭ ଗାଙ୍ଗୁଲି ପରିସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଆଇପିଏଲ୍ ବିଷୟରେ ଚିନ୍ତା କରାଯିବା ଅସମ୍ଭବ ବୋଲି କହିଥିଲେ। ସେହିପରି ସୋମବାର ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୂମଲ ମଧ୍ୟ ଚିତ୍ର ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ଆଇପିଏଲ୍ ଉପରେ କୌଣସି ବି ପୂର୍ବାନୁମାନ କରାଯାଇପାରିବ ନାହିଁ ବୋଲି କହିଛନ୍ତି।

ଏପରି ସ୍ଥିତିରେ ଆଇପିଏଲ୍ର ତ୍ରୟୋଦଶ ସଂସ୍କରଣର ବାସ୍ତବତା ଉପରେ ଏକାଧିକ ପ୍ରଶ୍ନଚିହ୍ନ ଲାଗିଛି। ଏପ୍ରିଲ୍-ମେ’ ୱିଣ୍ଡୋରେ ଏହା ଆୟୋଜିତ ହୋଇ ପାରି ନଥିବାରୁ ଆସନ୍ତା ଜୁଲାଇ-ଅଗଷ୍ଟରେ ମଧ୍ୟ ଏହା ଆୟୋଜିତ ହୋଇପାରେ ବୋଲି ଆଲୋଚନା ହେଉଥିଲା। କିନ୍ତୁ ତାହା ବର୍ଷାଋତୁ ହୋଇଥିବାରୁ ଅଧିକାଂଶ ମ୍ୟାଚ୍ରେ ରୋମାଞ୍ଚ ନୁହେଁ, ବରଂ ବର୍ଷା ସବୁ ମଜା ନଷ୍ଟ କରିବାର ଆଶଙ୍କା ଥିବାରୁ ଏହି ସମୟରେ ଆୟୋଜନ ପାଇଁ ଫ୍ରାଞ୍ଚାଇଜିମାନେ ରାଜି ହେବେ କି ନାହିଁ, ସେଥିନେଇ ମଧ୍ୟ ଭରପୂର ସନ୍ଦେହ ରହିଛି। ସେହିପରି ଅକ୍ଟୋବର-ନଭେମ୍ବରରେ ଏହି ଟୁର୍ଣ୍ଣାମେଣ୍ଟ୍ ଆୟୋଜନ ହେବା ନେଇ ମିଡିଆ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ସୋମବାର ଧୂମଲ ଏହାକୁ କେବଳ ଗୁଜବ ବୋଲି କହିଛନ୍ତି।

ସମସ୍ତେ ଆଇପିଏଲ୍ ଆୟୋଜିତ ହେଉ ବୋଲି ଚାହାନ୍ତି, କିନ୍ତୁ କୌଣସି ପ୍ରକାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଲେ ସିନା କେହି କିଛି କହିପାରିବେ ବୋଲି ଧୂମଲ କହିଥିଲେ। ବିଶେଷକରି ଅଷ୍ଟ୍ରେଲିଆ ୬ ମାସ ପାଇଁ ଲକଡାଉନ୍ ଘୋଷଣା କରିଥିବାରୁ ସେଠାକାର ଖେଳାଳି ଭାରତ ଆସିବା ସମ୍ଭବ ନୁହେଁ। ଅନ୍ୟାନ୍ୟ ବିଦେଶୀ ଖେଳାଳିଙ୍କ କ୍ଷେତ୍ରରେ ମଧ୍ୟ ସମାନ ସମସ୍ୟା ଉପୁଜିବା ନିଶ୍ଚିତ। ତେଣୁ ଏବେ ଆଇପିଏଲ୍ ସମ୍ପର୍କରେ କିଛି ବି ସୂଚନା ଦେବାର ସ୍ଥିତି ନାହିଁ ବୋଲି ଧୂମଲ କହିଥିଲେ।