ମାସେ ଯାଏଁ ଭୁବନେଶ୍ୱର ଆସିବନି ଅନ୍ତର୍ଜାତୀୟ ବିମାନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କରୋନା ଭୂତାଣୁର ନୂଆ ଭ୍ୟାରିଆଣ୍ଟ୍ ‘ଓମ୍ରିକନ୍‌’କୁ ନେଇ ବର୍ତ୍ତମାନ ବିଶ୍ୱବ୍ୟାପୀ ଚିନ୍ତା ବଢ଼ିଯାଇଛି। ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ବାହାରିଥିବା ଏହି ଭ୍ୟାରିଆଣ୍ଟ୍ ଏବେ ବିଶ୍ୱର ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି। ଏଣୁ ଭାରତ ସରକାର ଏହି ପରିପ୍ରେକ୍ଷୀରେ ସତର୍କତାମୂଳକ ପଦକ୍ଷେପ ଆପଣାଇଛନ୍ତି। ବିଶେଷ କରି ବିଦେଶରୁ ଆସୁଥିବା ବିମାନ ଯାତ୍ରୀଙ୍କ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତୀକ୍ଷ୍ନ ନଜର ରଖିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ଭର୍ଚୁଆଲରେ ଅଂଶଗ୍ରହଣ କରିଥିଲେ। ଆଗାମୀ ଏକ ମାସ ମଧ୍ୟରେ ଭୁବନେଶ୍ୱରକୁ କୌଣସି ଅନ୍ତର୍ଜାତୀୟ ବିମାନ ଆସିବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି।

ଶ୍ରୀ ବେଉରିଆ ଗଣମାଧ୍ୟମକୁ କହିଛନ୍ତି ଯେ କେନ୍ଦ୍ର ସରକାର ଆସନ୍ତା ଡିସେମ୍ବର ୧୫ ତାରିଖରୁ ଅନ୍ତର୍ଜାତୀୟ ବିମାନସେବା ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି। ହେଲେ ବର୍ତ୍ତମାନ ନୂଆ ଭ୍ୟାରିଆଣ୍ଟ୍ ସାମ୍ନାକୁ ଆସିଥିବାରୁ କିଛି ବି ପରିବର୍ତ୍ତନ ହୋଇପାରେ। ଏଣୁ, ଯଦି ଡିସେମ୍ବର ୧୫ ତାରିଖରୁ ବିମାନସେବା ଆରମ୍ଭ ହେଉଛି ତାହେଲେ ଭୁବନେଶ୍ୱର ବିମାନବନ୍ଦରରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟେଷ୍ଟିଂ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ଆମେ ଅନୁରୋଧ କରିବୁ। ପୂର୍ବରୁ ଯେଭଳି ଆରଟିପିସିଆର ଟେଷ୍ଟ କରାଯାଉଥିଲା ସେଭଳି ବ୍ୟବସ୍ଥା ପୁଣି ଆରମ୍ଭ ହେବ।

ବର୍ତ୍ତମାନ ଭୁବନେଶ୍ୱର ବିମାନବନ୍ଦରକୁ କୌଣସି ଅନ୍ତର୍ଜାତୀୟ ବିମାନ ଆସୁନାହିଁ। ଆଗାମୀ ଏକ ମାସ ପର୍ଯ୍ୟନ୍ତ କୌଣସି ବିମାନ ଆସିବାର ମଧ୍ୟ ଚୂଡ଼ାନ୍ତ ହୋଇନାହିଁ। ଯଦି ଆଗକୁ ବିମାନସେବା ସ୍ୱାଭାବିକ ହୁଏ ତଥାପି ନୂଆ ଭ୍ୟାରିଆଣ୍ଟ୍ ଚିହ୍ନଟ ହୋଇଥିବା ରାଷ୍ଟ୍ରମାନଙ୍କରୁ ଆସୁଥିବା କୌଣସି ବିମାନକୁ ଭୁବନେଶ୍ୱରରେ ଅବତରଣ କରିବାକୁ ଦିଆଯିବନାହିଁ ବୋଲି ଶ୍ରୀ ବେଉରିଆ କହିଛନ୍ତି। ଅନ୍ୟପଟେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ନିରଞ୍ଜନ ମିଶ୍ର କହିଛନ୍ତି ଯେ ଯେଉଁମାନେ ଓଡ଼ିଶାକୁ ବାହାରୁ ଆସିବେ ସେମାନେ ସାଙ୍ଗରେ ୭୨ ଘଣ୍ଟା ପୂର୍ବରୁ କରାଇଥିବା କରୋନା ଟେଷ୍ଟ ନେଗେଟିଭ୍ ସାର୍ଟିଫିକେଟ ସାଙ୍ଗରେ ଧରି ଆସିବେ। ବିମାନବନ୍ଦର ଠାରେ ତାଙ୍କର ସ୍କ୍ରିଂନି ଓ ଟେଷ୍ଟିଂ କରାଯିବ। ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସୁ କି ନେଗେଟିଭ୍ ଆସୁ ସମସ୍ତେ ୭ ଦିନ ସଂଗରୋଧରେ ରହିବାକୁ ବାଧ୍ୟ। ସାତ ଦିନ ପରେ ପୁଣି ଟେଷ୍ଟ କରାଯିବ। ଯଦି ପୁଣି ରିପୋର୍ଟ ପଜିଟିଭ୍ ଆସେ ତେବେ ସେହି ନମୂନା ଜିନୋମ୍ ସିକ୍ୟୁଏନ୍ସିଂ ପାଇଁ ପଠାଯିବ।