ନୂଆଦିଲ୍ଲୀ: ଭାରତରେ ଧୀରେ ଧୀରେ କରୋନା ସଂକ୍ରମଣରେ ଲଗାମ ଲାଗୁଥିବା ଦେଖିବାକୁ ମିଳିଛିି। ପାଖାପାଖି ଦେଢ଼ ମାସ ପରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷରୁ କମ୍ ରହିଛି। ଅନ୍ୟପଟେ ଗତ ୨୪ ଘଣ୍ଟାରେ ୬୨ ହଜାର ୨୧୨ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୭୦ ହଜାର ୮୧୬ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮୩୭ ଜଣଙ୍କର ମୃତ୍ୟୁ ଘଟିଛି। ଗତ କିଛି ମାସ ହେବ ବିଶ୍ୱରେ ସର୍ବାଧିକ କରୋନା ପଜିଟିଭ ଭାରତରେ ଚିହ୍ନଟ ହେଉଥିଲା। କିନ୍ତୁ ଏବେ ଆମେରିକାରେ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ଆମେରିକାରେ ଗତ ୨୪ ଘଣ୍ଟାରେ ୭୧ ହଜାର ୬୮୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୯୨୮ ଜଣଙ୍କର ମୃତ୍ୟୁ ଘଟିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବିକ, ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଲକ୍ଷ ୩୨ ହଜାର ହୋଇଥିବାବେଳେ ୧ଲକ୍ଷ ୧୩ ହଜାର ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୬୫ଲକ୍ଷ ୨୪ ହଜାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୯୫ ହଜାର ହୋଇଯାଇଛି। ସକ୍ରିୟ ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ୮ଗୁଣା ଅଧିକ ରହିଛି। ମହାରାଷ୍ଟ୍ର, କର୍ଣ୍ଣଟକ, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରେ ସୁସ୍ଥ, ସକ୍ରିୟ ଓ ମୃତ୍ୟୁ ସଂଖ୍ୟା ଅଧିକ ରହିଛି।