ଭାରତୀୟ ବଂଶୋଦ୍ଭବ ନିଲ୍ ମୋହନ ୟୁଟ୍ୟୁବ ସିଇଓ

ୱାଶିଂଟନ,ଏଜେନ୍ସି: ବିଶ୍ବର ସର୍ବବୃହତ ଅନଲାଇନ ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବର ନୂଆ ସିଇଓ ହେବେ ଭାରତୀୟ ବଂଶୋଦ୍ଭବ ନିଲ୍ ମୋହନ । ୟୁଟ୍ୟୁବର ସିଇଓ ସୁସାନ ୱୋଜିକ୍କି ନିଜ ପଦରୁ ଇସ୍ତଫା ଦେବା ପରେ ନିଲ୍ ମୋହନ ତାଙ୍କ ସ୍ଥାନ ନେବେ । ନିଲ୍‌ଙ୍କୁ କମ୍ପାନୀର ନୂଆ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଭାବେ ନିଯୁକ୍ତ କରାଯିବ ବୋଲି ଜଣାପଡିଛି । ବର୍ତ୍ତମାନ ସେ ୟୁଟ୍ୟୁବର ଚିଫ୍ ପ୍ରଡକ୍ଟ ଅଫିସର ଭାବେ କାମ କରୁଛନ୍ତି । ୨୦୧୫ରେ ସେ ଏହି କମ୍ପାନୀରେ ଯୋଗ ଦେଇଥିଲେ ।

ନିଲ୍ ମୋହନ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିଲେ । ଏହାପରେ ୨୦୦୮ରେ ୟୁଟ୍ୟୁବର ପ୍ୟାରେଣ୍ଟ କମ୍ପାନି ଗୁଗୁଲରେ ଯୋଗ ଦେଇଥିଲେ । ଏବେ ସେ ଗୁଗୁଲର ଅନଲାଇନ ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବର ଚିଫ୍ ପ୍ରଡକ୍ଟ ଅଫିସର ଥିବାବେଳେ ୟୁଟ୍ୟୁବ ସଟ୍‌ସ ମ୍ୟୁଜିକ ନିର୍ମାଣ ଉପରେ କାର୍ଯ୍ୟ କରୁଛନ୍ତି । ସେହିପରି ଗୁଗୁଲରେ ନିଯୁକ୍ତି ପୂର୍ବରୁ ସେ ମାଇକ୍ରୋସଫ୍ଟ ସହ କାମ କରିଥିଲେ ।

୫୪ ବର୍ଷୀୟା ସୁସାନ ୱୋଜିକ୍କି ୨୦୧୪ରେ ୟୁଟ୍ୟୁବ ସିଇଓ ଭାବେ ନିଯୁକ୍ତି ପାଇଥିଲେ । ଦୀର୍ଘ ବର୍ଷ କାମ କରିବା ପରେ ସେ ଏବେ ପରିବାର, ସ୍ବାସ୍ଥ୍ୟ ଓ ବ୍ୟକ୍ତିଗତ ଜୀବନ ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଁଥିବାରୁ ଗୁରୁବାର ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି । ଏନେଇ ସେ କହିଛନ୍ତି, ”ଆଜି ମୁଁ ୟୁଟ୍ୟୁବ ସିଇଓ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରି କର୍ମଚାରୀଙ୍କ ପାଖରୁ ଇମେଲ୍ ପଠାଇଛି । ପରିବାର, ସ୍ବାସ୍ଥ୍ୟ ଏବଂ ବ୍ୟକ୍ତିଗତ ପ୍ରକଳ୍ପ ଉପରେ ଧ୍ୟାନ ଦେଇ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଚାହୁଁଥିବାରୁ ଏହି ନିଷ୍ପତ୍ତି ନେଇଛି ।” ଏହାସହିତ ୟୁଟ୍ୟୁବ ସହ କାମ କରିବା ତାଙ୍କ ପାଇଁ ସମ୍ମାନର ବିଷୟ ଥିଲା ବୋଲି କହିଛନ୍ତି ।