୧୦ ଦେଶକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ରପ୍ତାନି କରିବ ଭାରତ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେବା ସହିତ ଏବେ ବିଭିନ୍ନ ଦେଶକୁ ଯୁଦ୍ଧାସ୍ତ୍ର ରପ୍ତାନି କରୁଛି। ଭାରତରେ ତିଆରି ସୁପରସୋନିକ କ୍ଷେପଣାସ୍ତ୍ର ସହିତ ଅନ୍ୟାନ୍ୟା ଯୁଦ୍ଧାସ୍ତ୍ର ରପ୍ତାନି କରୁଛି। ନିକଟରେ ଫିଲିପାଇନ୍ସକୁ ବ୍ରହ୍ମୋସ ସୁପରସୋନିକ କ୍ରୁସ୍ କ୍ଷେପଣାସ୍ତ୍ର ଦେବାକୁ ୩୭୫ ମିଲିୟନ ଆମେରିକୀୟ ଡଲାର ଚୁକ୍ତି କରିଛି ବ୍ରହ୍ମୋସ ଏରୋସ୍ପେସ୍‌ ପ୍ରାଇଭେଟ୍ ଲିମିଟେଡ୍। ଏହି ଚୁକ୍ତି ସରିବା ପରେ ପୁରୁଣା କ୍ଷେପଣାସ୍ତ୍ର ଓ ଏହାର ନବୀନତମ ରୂପକୁ ଆଉ ୧୦ ରାଷ୍ଟ୍ରକୁ ବିକ୍ରି କରିବାକୁ ଚାହୁଁଛି କମ୍ପାନୀ।

ଏଥିରେ ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ୟୁଏଇ ଏବଂ ଇଜିପ୍ଟ ଆଦି ଦେଶ କ୍ଷେପଣାସ୍ତ୍ର କିଣିବାକୁ ଇଚ୍ଛୁକ ଥିବା ଜଣାପଡ଼ିଛି। ଦକ୍ଷିଣ ଆଫ୍ରିକା ମଧ୍ୟ ବ୍ରହ୍ମୋସ କ୍ଷେପଣାସ୍ତ୍ର କିଣିବାକୁ ଇଚ୍ଛା ପ୍ରକାଶ କରୁଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଥାଉକି, ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ(ଡିଆରଡିଓ) ଓ ରୁଷର ଏନ୍‌ପିଓ ମଶିନୋଷ୍ଟ୍ରୋୟେନିୟା ମିଳିତ ଭାବରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ତିଆରି କରିଛନ୍ତି। ଭାରତର ତିନି ପ୍ରତିରକ୍ଷା କ୍ଷେତ୍ର ଜଳ,ସ୍ଥଳ ଓ ବାୟୁରେ ଏହି କ୍ଷେପଣାସ୍ତ୍ରକୁ ସାମିଲ କରିଛି। ଅଧିକାରୀଙ୍କ ସୂଚନା ଅନୁସାରେ, ବ୍ରହ୍ମୋସ କ୍ଷେପଣାସ୍ତ୍ରର ରେଞ୍ଜ୍ ବଢ଼ାଇବା ଦିଗରେ କାମ ଜାରି ରହିଛି।

ଭୂପୃଷ୍ଠରୁ ୨୯୦ କିମିରୁ ୫୦୦ କିମି ଏବଂ ସମୁଦ୍ରରୁ ୪୦୦ କିମି ରେଞ୍ଜ ବଢ଼ାଇବାକୁ କାମ ଜାରି ରହିଛି। ସେହିପରି ଅନ୍ୟାନ୍ୟ ବିକାଶମୂଳକ ଦକ୍ଷତା ବଢ଼ାଇବା ଦିଗରେ ମଧ୍ୟ କାମ ହେଉଛି। ତିଆରି ହେଉଥିବା ନୂଆ କ୍ଷେପଣାସ୍ତ୍ର ପରୀକ୍ଷଣ ଖୁବଶୀଘ୍ର ଆରମ୍ଭ ହୋଇଯିବ। ୨୦୨୫ ସୁଧା ଏହା ବାୟୁସେନାକୁ ଦିଆଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।