ନୂଆଦିଲ୍ଲୀ: ଦେଶର ସୈନିକଙ୍କୁ ଖୁବଶୀଘ୍ର ଏକ ଦମଦାର ରାଇଫଲ ମିଳିବାକୁ ଯାଉଛି। ଏହି ରାଇଫଲଟି ହେଉଛି ଋଷର ଏକେ-୨୦୩। ଏନେଇ ଭାରତ ଓ ଋଷ ମଧ୍ୟରେ ଏକ ଚୁକ୍ତି ହୋଇଛି। ଏହି ଚୁକ୍ତି ଫଳରେ ୫ଲକ୍ଷ ଏକେ-୨୦୩ ରାଇଫଲ୍ସର ନିର୍ମାଣ ମେକ ଇନ୍ ଇଣ୍ଡିଆ ଅନ୍ତର୍ଗତ ଉତ୍ତରପ୍ରଦେଶର ଅମେଠୀରେ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଋଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ଚୁକ୍ତିନାମାରେ ହସ୍ତାକ୍ଷର କରିଛନ୍ତି।
ସୂଚନାଯୋଗ୍ୟ, ଏକେ-୨୦୩ ରାଇଫଲ ୭.୬୨X୩୯ କେଲିବରର ରାଇଫଲ। ଏହି ରାଇଫଲର ରେଞ୍ଜ ପାଖାପାଖି ୩୦୦ ମିଟର। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଋଷ ରାଷ୍ଟ୍ରପତି ବ୍ଲାଦମିର ପୁତିନ ଏକେ-୨୦୩ ରାଇଫଲ୍ସର ନିର୍ମାଣ ପାଇଁ କୋରବା ପ୍ଲାଣ୍ଟର ଉଦଘାଟନ କରିଥିଲେ। କିନ୍ତୁ କିଛି ବୈଷୟିକ କାରଣ ଯୋଗୁ ଏହି ରାଇଫଲର ନିର୍ମାଣ ହୋଇପାରିନଥିଲା। ସେଥିପାଇଁ ଭାରତ ସିଧାସଳଖ ୭୦ ହଜାର ଏକେ-୨୦୩ ରାଇଫଲ ଋଷଠାରୁ କିଣିଥିଲା।