ଉତ୍କଳ ବିଶ୍ୱବିଦ୍ୟାଳୟର ଉନ୍ନତୀକରଣ ପାଇଁ ବର୍ଷକର ଦରମା ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟର ପ୍ରମୁଖ ଶିକ୍ଷାକେନ୍ଦ୍ର ଉତ୍କଳ ବିଶ୍ୱବିଦ୍ୟାଳୟର ଉନ୍ନତୀକରଣ ଲାଗି ଜଣେ ପୁରାତନ ଛାତ୍ରଭାବେ ଉଦାରତା ଦେଖାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଏ ବାବଦକୁ ନିଜର ବର୍ଷକର ଦରମା ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ପ୍ରଦାନ କରିଛନ୍ତି। ଏନେଇ ନିଜେ ରାଜ୍ୟପାଳ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ବାଣୀବିହାର କ୍ୟାମ୍ପସର ବିକାଶ ଲାଗି ଶ୍ରୀ ପ୍ରଧାନଙ୍କ ଏହି ଆଗ୍ରହ ଓ ପ୍ରୟାସକୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ। ସୂଚନାଯୋଗ୍ୟ, ଶ୍ରୀ ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆନ୍ଥ୍ରୋପୋଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।