ସିଇଓଙ୍କ ବଦଳି ବିଜେପିର ଅଭ୍ୟାସଗତ ଦାବି : ବିଜେଡି

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ବଦଳି କରିବା ନେଇ ବିଜେପିର ଦାବି ନୂଆ ନୁହେଁ ବଂର ଏହା ଅଭ୍ୟାସରେ ପଡ଼ିଗଲାଣି। ନିର୍ବାଚନ ହାରିବା ପରେ ୨୦୦୯ ପରଠାରୁ ବିଜେପି ନିୟମିତ ଭାବେ ବିଭିନ୍ନ ଅଭିଯୋଗ ଉଠାଇ ବାରମ୍ବାର ଏଭଳି ଦାବି କରିଆସୁଛି ବୋଲି ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି।

ସୁଶ୍ରୀ ସାହୁ କହିଛନ୍ତି ଯେ ରାଜ୍ୟ ବିଜେପିକୁ ଏବେ ଠାରୁ ପିପିଲିରେ ହାରିବାର ଭୟ ଗୋଡାଇଲାଣି। ଏହାର ପ୍ରତିଫଳନ ସ୍ୱରୂପ ସେମାନେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବଦଳାଇବା ଦାବି ଉଠାଇଛନ୍ତି। ପିପିଲି ଟିକେଟ ପାଇଁ ଆଶାୟୀ ଥିବା ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏଥିରୁ ବଞ୍ଚିତ ହେବାପରେ ଏବେ ହତାଶ ହୋଇ ଏଭଳି ଭିତ୍ତିହୀନ ଅଭିଯୋଗମାନ ଆଣୁଛନ୍ତି। ରାଜ୍ୟ ବିଜେପିର ଏଭଳି ଆଚରଣ ଲାଗି ଓଡ଼ିଶାବାସୀ ତାଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିବାରେ ଲାଗିଛନ୍ତି। ପିପିଲିରେ ମଧ୍ୟ ଏହାର ପୁନରାବୃତ୍ତି ହେବ। ତେଣୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭଳି ମର୍ଯ୍ୟାଦାଜନକ ପଦବୀକୁ ନେଇ ବିଜେପି ରାଜନୀତି ନକରୁ ବୋଲି ସୁଶ୍ରୀ ସାହୁ କହିଛନ୍ତି।