ଦୁବାଇ,ଏଜେନ୍ସି: ନ୍ୟୁଜିଲାଣ୍ଡରେ ଆସନ୍ତାବର୍ଷ ମାର୍ଚ୍ଚ ୪ରୁ ଏପ୍ରିଲ୍ ୪ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ମହିଳା ଦିନିକିଆ ବିଶ୍ୱକପ୍ କାର୍ଯ୍ୟସୂଚୀ ବୁଧବାର ଘୋଷିତ ହୋଇଛି। ଏହି କାର୍ଯ୍ୟସୂଚୀ ଅନୁସାରେ ଭାରତ ତା’ ପ୍ରଥମ ମ୍ୟାଚ୍ରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ମାର୍ଚ୍ଚ ୬ ତାରିଖରେ ଭେଟିବ। ଏହି ମ୍ୟାଚ୍ ତୌରଙ୍ଗାରେ ଖେଳାଯିବ। ଉଦ୍ଘାଟନୀ ମ୍ୟାଚ୍ ମାର୍ଚ୍ଚ ୪ ତାରିଖରେ ଆୟୋଜକ ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ। ସେହିପରି ମାର୍ଚ୍ଚ ୫ ତାରିଖରେ ହାମିଲ୍ଟନ୍ର ସେଡନ୍ ପାର୍କରେ ଅଷ୍ଟ୍ରେଲିଆ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ ଭେଟିବ। ଟୁର୍ଣ୍ଣାମେଣ୍ଟ୍ରେ ମୋଟ ୩୧ ଦିନ ମଧ୍ୟରେ ୩୧ଟି ମ୍ୟାଚ୍ ୬ଟି ଭେନ୍ୟୁରେ ଖେଳାଯିବ। ଏହି ଭେନ୍ୟୁଗୁଡ଼ିକ ହେଲା ଅକ୍ଲାଣ୍ଡ, କ୍ରୀଷ୍ଟଚର୍ଚ୍ଚ, ଡୁନେଡାଇନ୍, ହାମଲ୍ଟନ୍, ତୌରଙ୍ଗା ଓ ୱେଲିଂଟନ୍।
ଆଇସିସି ମହିଳା ଚାମ୍ପିଅନ୍ଶିପ୍ ୨୦୧୭-୨୨ରେ ନିଜ ନିଜର ସ୍ଥାନ ଆଧାରରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ସାଉଥ୍ ଆଫ୍ରିକା ଓ ଭାରତ ଟୁର୍ଣ୍ଣାମେଣ୍ଟ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଆୟୋଜକ ରୂପେ ନ୍ୟୁଜିଲାଣ୍ଡ ସ୍ୱୟଂକ୍ରିୟ ଭାବେ ଯୋଗ୍ୟତା ହାସଲ କରିଛି। କୋଭିଡ୍-୧୯ ସଂକ୍ରମଣ ବ୍ୟାପିବା କାରଣରୁ ମହିଳା କ୍ରିକେଟ୍ ବିଶ୍ୱକପ୍ କ୍ୱାଲିଫାୟର୍ ରଦ୍ଦ ହେବା ଫଳରେ ବାଂଲାଦେଶ, ୱେଷ୍ଟଇଣ୍ଡିଜ୍ ଓ ପାକିସ୍ତାନ ଟିମ୍ ର୍ୟାଙ୍କିଙ୍ଗ୍ ଆଧାରଣରେ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପକ୍କା କରିଥିଲେ। ଟୁର୍ଣ୍ଣାମେଣ୍ଟ୍ ଲିଗ୍ ଫର୍ମାଟ୍ରେ ଖେଳାଯିବ ଏବଂ ସମସ୍ତ ଆଠଟି ଟିମ୍ ପରସ୍ପରକୁ ଥରେ ଭେଟିବେ। ଶେଷରେ ଶୀର୍ଷ ଚାରିଟି ସ୍ଥାନରେ ଥିବା ଟିମ୍ ସେମିଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ। ପ୍ରଥମ ସେମିଫାଇନାଲ୍ ମାର୍ଚ୍ଚ ୩୦ ତାରିଖରେ ୱେଲିଂଟନ୍ର ବେସିନ୍ ରିଜର୍ଭରେ ଏବଂ ଦ୍ୱିତୀୟ ସେମିଫାଇନାଲ୍ ୩୧ ତାରିଖରେ କ୍ରୀଷ୍ଟଚର୍ଚ୍ଚର ଦି ହେଗ୍ଲେ ଓଭାଲ୍ରେ ଖେଳାଯିବ।
ଫାଇନାଲ୍ ମ୍ୟାଚ୍ ଏପ୍ରିଲ୍ ୩ ତାରିଖରେ କ୍ରୀଷ୍ଟଚର୍ଚ୍ଚରେ ଅନୁଷ୍ଠିତ ହେବ। ଉଭୟ ସେମିଫାଇନାଲ୍ ଓ ଫାଇନାଲ୍ ପାଇଁ ଗୋଟିଏ ଲେଖାଏଁ ରିଜର୍ଭ ଡେ’ ରଖାଯାଇଛି। ୨୦୧୭ ସଂସ୍କରଣରେ ଭାରତକୁ ହରାଇ ଇଂଲଣ୍ଡ ଚାମ୍ପିଅନ୍ ହୋଇଥିଲା। ଦୁଇଟି ଅବସରରେ (୨୦୦୫, ୨୦୧୭)ରେ ରନର୍ସଅପ୍ ହୋଇଥିବା ଭାରତ ପ୍ରଥମ ଟାଇଟଲ୍ ଲକ୍ଷ୍ୟରେ ଟୁର୍ଣ୍ଣାମେଣ୍ଟ୍ରେ ଭାଗନେବ।