ନୂଆଦିଲ୍ଲୀ,ଏଜେନ୍ସି: ଏୟାର୍ ଚିଫ୍ ମାର୍ସାଲ୍ ଭାବେ ବିବେକ ରାମ ଚୌଧୁରୀ ଗତକାଲି ପୂର୍ବତନ ବାୟୁ ଚିଫ୍ ଆର କେ ଏସ୍ ଭଦୋରିଆଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରେସମିଟ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି କି ‘ଆତ୍ମନିର୍ଭର’ ହେବା ଆବଶ୍ୟକ ଓ ଭାରତୀୟ ବାୟୁସେନା ‘ସମସ୍ତ ପ୍ରକାର ଚାଲେଞ୍ଜ୍’ର ମୁକାବିଲା କରିବାକୁ ପ୍ରସ୍ତୁତ ରହିଥିବା କହିଛନ୍ତି। ଏବେ ଆତ୍ମନିର୍ଭର ହେବା ସହ ନୂତନ ସମ୍ବଳ ସବୁକୁ ତୁରନ୍ତ ବାୟୁସେନାରେ ସାମିଲ କରିବା ପାଇଁ ଧ୍ୟାନ ଦେବୁ। ଭାରତୀୟ ବାୟୁସେନାର ସାମର୍ଥ୍ୟ ବୃଦ୍ଧି କରିବା ପାଇଁ ଦୃଢ଼ପରିକର ବୋଲି ସେ କହିଛନ୍ତି।
‘ନ୍ୟାସ୍ନାଲ୍ ଡିଫେନ୍ସ୍ ଏକାଡେମି’ର ଛାତ୍ର ଏୟାର୍ ଚିଫ୍ ମାର୍ସଲ୍ ଚୌଧୁରୀ ୧୯୮୨ ଡିସେମ୍ବର ୨୯ ତାରିଖ ଦିନ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ୩୮ ବର୍ଷର କ୍ୟାରିୟର୍ରେ ସେ ଭାରତୀୟ ବାୟୁସେନାର ଅନେକ ପ୍ରକାରର ଲଢୁଆ ଓ ତାଲିମ୍ ନିମନ୍ତେ ଥିବା ବିମାନ ଉଡ଼ାଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଅତି ଚଞ୍ଚଳ ବାୟୁସେନାରେ ରାଫେଲ୍ ଲଢୁଆ ବିମାନ ଏବଂ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ଅସ୍ତ୍ରଶସ୍ତ୍ର ସାମିଲ କରିଛୁ। ଅସ୍ତ୍ରଶସ୍ତ୍ରର ବିଭିନ୍ନ ବର୍ଗରେ ‘ଡିଆର୍ଡିଓ’ କାର୍ଯ୍ୟ କରୁଛି। ଆଗାମୀ ଦିନରେ ସେ ସବୁ ଭାରତୀୟ ବାୟୁସେନାକୁ ସାହାଯ୍ୟ କରିପାରେ। ଗତ ଦେଢ଼ବର୍ଷ ହେବ, ବାୟୁସେନାରେ କେତେକ ନୂଆ ଅସ୍ତ୍ରଶସ୍ତ୍ର ଏବଂ ବିମାନ ମଧ୍ୟ ସାମିଲ କରାଯାଇଛି। ସମ୍ପ୍ରତି ରାଫେଲ୍ ଲଢୁଆ ବିମାନର ପାଇଲଟ୍ ଥିବା ବିବେକ ରାୟ ଚୌଧୁରୀଙ୍କ ପୁତ୍ର ମଧ୍ୟ ବାୟୁସେନାର ଲଢୁଆ ବିମାନ ସମୂହର ଆଧୁନିକିକରଣରେ ଭୂମିକା ନିର୍ବାହ କରିଛନ୍ତି। ତାଙ୍କରି ପରାମର୍ଶ ଅନୁସାରେ ନିକଟ ଭବିଷ୍ୟତରେ ବାୟୁସେନାରେ ଅଧିକ ସ୍ବଦେଶୀ ଏବଂ ବିଦେଶୀ ଲଢୁଆ ବିମାନ ସାମିଲ କରାଯିବାର ଯୋଜନା ରହିଛି।