ବୀର ଓଡ଼ିଆ ପୁଅ ବକ୍ସି ଜଗବନ୍ଧୁଙ୍କ ଉପରେ ଆଧାରିତ ‘ବିଦ୍ରୋହୀ’ର ସ୍ପେଶାଲ୍ ସ୍କ୍ରିନିଂ ଦେଖିବେ ଗୃହ ମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ,ଏଜେନ୍ସି: ନୂଆଦିଲ୍ଲୀରେ ବିଦ୍ରୋହୀ ଧାରାବାହିକର ସ୍ପେଶାଲ ସ୍କିନିଂ ଅନୁଷ୍ଠିତ ହେବାକୁ ଯାଉଛି। ଉନ୍ନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଘଟିଥିବା ଓଡ଼ିଆ ଜାତିର ବୀରତ୍ୱର କାହାଣୀ ‘ପାଇକ ବିଦ୍ରୋହ’ ଓ ଏହାର ନେତୃତ୍ୱ ନେଇଥିବା ବକ୍ସି ଜଗବନ୍ଧୁଙ୍କ ଉପରେ ଆଧାରିତ ଧାରାବାହିକ ‘ବିଦ୍ରୋହୀ’ର ସ୍ପେଶାଲ ସ୍କିନିଂ ଅନୁଷ୍ଠିତ ହେବାକୁ ଯାଉଛି।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ମନ୍ତ୍ରୀ ଅମିତ ଶାହ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର‌୍ୟ୍ୟକ୍ରମ ରହିଛି। ତାଙ୍କ ସାଥୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ। ଓଡ଼ିଆ ସମାଜ ଓ ବିଦ୍ରୋହୀ ଟିମ୍ ଦ୍ୱାରା ଏହି ସ୍ପେଶାଲ ସ୍କିନିଂର ଆୟୋଜନ କରାଯାଇଛି।

‘ଷ୍ଟାର୍ ପ୍ଲସ୍’ ଭଳି ଜାତୀୟ ସ୍ତରର ପ୍ରମୁଖ ଇଣ୍ଟରଟେନମେଣ୍ଟ୍ ଚ୍ୟାନେଲ୍ ଓ ହଟ୍ ଷ୍ଟାର୍ ଭଳି ଲୋକପ୍ରିୟ ଓଟିଟି ପ୍ଲାଟଫର୍ମରେ ବିଦ୍ରୋହୀ ପ୍ରସାରଣ ହେଉଥିଲା। ଆଜି ସଂଧ୍ୟା ୮ଟାରେ ‘ବିଦ୍ରୋହୀ’ ସିରିଏଲର ସ୍ପେଶାଲ ସ୍କିନିଂ କରାଯିବ ।୧୮୧୭ ମସିହାରେ ଓଡିଶାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ହୋଇଥିବା ବିଦ୍ରୋହର କାହାଣୀ ଏହି ଧାରାବାହିକରେ ଉଲ୍ଲେଖିତ। ଇଂରେଜମାନଙ୍କ କଠୋର ଆଇନ ବିରୋଧରେ ବୀର ପାଇକମାନଙ୍କ ଭୂମିକା, ତ୍ୟାଗ, ପରାକ୍ରମ ଓ ବିଦ୍ରୋହ ଉପରେ ଏହା ପର୍ଯ୍ୟବେଷିତ।

ସୁବ୍ରତ ସିହ୍ନାଙ୍କ ପ୍ରଯୋଜିତ ଏହି ଧାରାବାହିକରେ ବକ୍ସି ଜଗବନ୍ଧୁଙ୍କ ଭୂମିକାରେ ଶରଦ ମାଲହୋତ୍ରା ଅଭିନୟ କରିଥିବା ବେଳେ ବକ୍ସି ଜଗବନ୍ଧୁଙ୍କ ରାଣୀ ଭୂମିକାରେ ଅଭିନେତ୍ରୀ ହେମଲ ଦେବ୍ ଏବଂ ଓଡିଆ ଅଭିନେତ୍ରୀ ସୁଲଗ୍ନା ପାଣିଗ୍ରାହୀ ଅଭିନୟ କରିଛନ୍ତି।

ପାଇକ ବିଦ୍ରୋହ ହେଉଛି ଓଡିଆ ଜାତିର ଅଦମ୍ୟ ସାହସର ଜ୍ୱଳନ୍ତ ଗାଥା। ଏହି ବୀରତ୍ୱପୂର୍ଣ୍ଣ ଓ ଶୌର୍ଯ୍ୟମୟ ପାଇକ ବିଦ୍ରୋହ ଓଡିଆ ଜନମାନସରେ ଏକ ଗୌରବମୟ ସ୍ଥାନ ରଖିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପାଇକ ବିଦ୍ରୋହକୁ ରାଷ୍ଟ୍ରୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ମର୍ଯ୍ୟାଦାବନ୍ତ ସ୍ଥାନ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରୁଛନ୍ତି।