ବାଇକକୁ ପଛପଟୁ ଧକ୍କା ମାରି କାର ଫେରାର, ପୁଲିସ ଅଧିକାରୀ ଗୁରୁତର

ଭୁବନେଶ୍ୱର,ଏନ୍ଏନ୍ଏସ୍: ପଳାଶୁଣୀ ବ୍ରିଜ ନିକଟରେ ଏକ ପୁଲିସ ବାଇକକୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଧକ୍କା ଦେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ପୁଲିସ ଅଧିକାରୀ ଜଣଙ୍କ ଗୁରୁତର ଆହତ ହୋଇଥିବା ବେଳେ ସେଠାରୁ ସ୍ଥାନୀୟ ଲୋକମାନେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଆଜି କଟକ ଜିଆରପିର ଜଣେ ସବ୍ ଇନସ୍ପେକ୍ଟର ଗୁଲାମ ଅଲୀ କଟକରୁ ବାଇକ୍ ଯୋଗେ ଭୁବନେଶ୍ୱର ଆସୁଥିବା ବେଳେ ପଳାଶୁଣୀ ବ୍ରିଜ ନିକଟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ କାର୍ ତାଙ୍କୁ ଧକ୍କା ଦେଇ ସେଠାରୁ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ପୁଲିସ ଅଧିକାରୀ ଜଣଙ୍କ ଗୁରୁତର ଅବସ୍ତାରେ ପଡ଼ି ରହିଥିଲେ। ପରେ ସ୍ଥାନୀୟ ଅଞ୍ଚଳରେ ଜଣେ ବ୍ୟକ୍ତି ଏହା ଦେଖି ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ପରେ ସେ ୧୦୦ ନମ୍ବରରେ ଫୋନ୍ କରି ଦୁର୍ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ଦେଇଥିଲେ। ସେହିପରି ପୁଲିସ ହସ୍ପିଟାଲରେ ପହଞ୍ଚି ଉକ୍ତ ଯୁବକଠୁ ବୟାନ ନେବା ସହ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ସେହିପରି ଗୁରୁତର ସବ୍ ଇନସ୍ପେକ୍ଟର ଜଣଙ୍କ ବର୍ତ୍ତମାନ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଧକ୍କା ଦେଇ ଘଟଣାର ତଦନ୍ତ ଆରମ୍ଭ କରିଛି।