ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି ୯ମ ଦିନରେ ପହଂଚିଛି । ଇତିମଧ୍ୟରେ କିଛି ଭାରତୀୟ ଛାତ୍ର କିଭ ଓ ଖାରକିଭରେ ଫସି ରହିଛନ୍ତି । ଫେବୃଆରୀ ୨୭ରେ କିଭ ଛାଡ଼ି ଆସୁଥିବା ହରଜୋତ ସିଂହ ନାମକ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି ଲାଗି ଯାଇଥିଲା । ଏବେ ସେ କିଭର ଏକ ହସ୍ପିଟାଲରେ ଭର୍ତ୍ତି ଥିବାବେଳେ ସହାୟତା ପାଇଁ ଭାରତ ସରକାରଙ୍କ ଆଗରେ ଗୁହାରି କରିଛନ୍ତି ।
ହରଜୋତ ସିଂହ କହିଛନ୍ତି ଯେ, ମୋତେ ଯଥାଶୀଘ୍ର ଏଠାରୁ ବାହାର କରାଗଲେ ମୁଁ ମୋ ପରିବାରକୁ ଭେଟିପାରିବି । ଭାରତୀୟ ଦୂତବାସର ପାଖାପାଖି ସବୁ ବ୍ୟକ୍ତିଙ୍କ ସହ କଥା ହୋଇ ସାରିଲିଣି । ସେମାନେ କେବଳ ଆଶ୍ୱାସନା ଦେଇଛନ୍ତି । ଏପର୍ଯ୍ୟନ୍ତ କୌଣସି ସହାୟତା କରିନାହାନ୍ତି । ଏଠାରେ ମୋର କେହି ନାହାନ୍ତି । ଏକେ ୪୭ ଗୁଳି ଲାଗି ମୋ ଗୋଡ଼ ଫେକଚର ହୋଇଯାଇଛି । ମୁଁ ଚାଲିପାରୁ ନଥିବାରୁ ମୋତେ କାର ଯୋଗେ ନେବାକୁ ଦୂତବାସଙ୍କୁ ଅନୁରୋଧ କରୁଛି । ବର୍ତ୍ତମାନ ସୁଦ୍ଧା କିଭରେ ଅନେକ ଭାରତୀୟ ଛାତ୍ର ମହଜୁଦ ଅଛନ୍ତି । ଏଠାରେ ଭୟର ବାତାବରଣ ଲାଗି ରହିଛି ।