ଜୁଲାଇ ୩୦ରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ, ଗାଇଡଲାଇନ ଜାରି

ଅଗଷ୍ଟ ୨୨ ସୁଦ୍ଧା ପ୍ରକାଶ ପାଇବ ପରୀକ୍ଷା ଫଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: କୋଭିଡ ସଂକ୍ରମଣ ଯୋଗୁଁ ସରକାରଙ୍କ ଦ୍ୱାରା ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦକୁ ମୂଲ୍ୟାୟନର ଏକ ପଦ୍ଧତି ପ୍ରସ୍ତୁତ କରିବାକୁ ସରକାର ଅନୁରୋଧ କରିଥିଲେ। ଏଥିସହିତ ବିକଳ୍ପ ପଦ୍ଧତି ଭାବେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ କୋଭିଡ ସ୍ଥିତି ସୁଧୁରିଲେ ଅଫଲାଇନରେ ପରୀକ୍ଷା ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ପରିପ୍ରେକ୍ଷୀରେ ଜୁନ୍ ୨୫ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି।

ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ସମୁଦାୟ ୬.୩୦ ଲକ୍ଷ ପିଲା ଫର୍ମ ପୂରଣ କରିଥିଲେ। ଏଥିସହିତ ସମସ୍ତ ପରୀକ୍ଷା ଦେୟ ଛାଡ଼ କରାଯାଇଥିଲା। ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପାଖାପାଖି ୬.୧୦ ଲକ୍ଷ ପିଲା କୃତକାର୍ଯ୍ୟ ହୋଇଛନ୍ତି। ଏହାପରେ ପୁଣି ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହୋଇଥିବା ଅଫଲାଇନ ଫର୍ମ ପୂରଣ। ଜୁଲାଇ ୫ରୁ ଜୁଲାଇ ୧୫ ପର୍ଯ୍ୟନ୍ତ ଅଫଲାଇନ ପରୀକ୍ଷା ପାଇଁ ଫର୍ମ ପୂରଣ ହୋଇଥିଲା। ତେବେ ଏଥିରେ ସବୁ ବର୍ଗରୁ ସମୁଦାୟ ୧୫,୧୧୫ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ଅସନ୍ତୁଷ୍ଟ ହୋଇ ଅଧିକ ମାର୍କ ଆଶାରେ ୨୨୪୪ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରତ୍ୟେକ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯିବ। ସେହିପରି ପ୍ରତି ପରୀକ୍ଷା କେନ୍ଦ୍ରରେ ଗୋଟିଏ ଲେଖାଏଁ ଆଇସୋଲେସନ ରୁମର ବ୍ୟବସ୍ଥା ରହିବ। ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ପୂର୍ବରୁ ତାଙ୍କର ଥର୍ମାଲ ସ୍କ୍ରିନିଂ ଓ ହାତ ସାନିଟାଇଜ କରିବାକୁ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଉଛି।

ପରୀକ୍ଷା କେନ୍ଦ୍ରରେ ସମସ୍ତଙ୍କ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ। କୌଣସି ଛାତ୍ରଛାତ୍ରୀ ଯଦି ବିନା ମାସ୍କରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ ତେବେ ତାଙ୍କୁ ପରୀକ୍ଷାରେ ବସିବାକୁ ଅନୁମତି ଦିଆଯିବ ନାହିଁ। ସେହିପରି ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ସମସ୍ତଙ୍କ କୋଭିଡ ଟେଷ୍ଟ କରାଯିବ। ପରୀକ୍ଷା କେନ୍ଦ୍ରରେ କୋଭିଡ ଗାଇଡ଼ଲାଇନର ପାଳନ ପାଇଁ ଜିଲ୍ଲା ସ୍ତରରେ ଓ ବ୍ଲକ ସ୍ତରରେ ଜିଲ୍ଲାପାଳଙ୍କ ନେତୃତ୍ୱରେ କୋଭିଡ ସ୍କାଡର ବ୍ୟବସ୍ଥାର କରାଯିବ। ସେମାନେ ପରୀକ୍ଷାର ସୁପରିଚାଳନା ସହିତ କୋଭିଡ ଗାଇଡଲାଇନ ଠିକ ଭାବରେ ପାଳନ ହେଉଛି କି ନାହିଁ ତାର ତଦାରଖ କରିବେ। ଜୁଲାଇ ୩୦ରୁ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଅଗଷ୍ଟ ୫ ପର୍ଯ୍ୟନ୍ତ ଚାଲିବ।

ସେହିପରି ଅଗଷ୍ଟ ୧୦ରୁ ୧୫ ମଧ୍ୟରେ ମୂଲ୍ୟାୟନ ହେବାକୁ ଥିବା ବେଳେ ମୂଲ୍ୟାୟନ କେନ୍ଦ୍ରରେ ମଧ୍ୟ କୋଭିଡ ନିୟମାବଳୀ ପାଳନ କରାଯିବ। ସେହିପରି ଅଗଷ୍ଟ ୨୨ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବ ବେଲି ବୋର୍ଡ ପକ୍ଷରୁ କୁହାଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ ଅଫଲାଇନ ପରୀକ୍ଷାରେ କୃତକାର୍ଯ୍ୟ ହେବେ ସେମାନେ ସରକାରଙ୍କ ଯୁକ୍ତ ୨ ନାମଲେଖା ପୋର୍ଟାଲରେ ଆବେଦନ କରିପାରିବେ।