ପଶ୍ଚିମ ଓଡିଶା ଯାତ୍ରୀଙ୍କ ପାଇଁ ଖୁସିଖବର, ଆସନ୍ତା ୨୮ରୁ ଝାରସୁଗୁଡାରୁ ଚେନ୍ନାଇକୁ ଉଡିବ ବିମାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପଶ୍ଚିମ ଓଡିଶା ଯାତ୍ରୀଙ୍କ ପାଇଁ ଖୁସିଖବର। ପୁଣି ଏକ ମେଟ୍ରୋ ସହର ସହ ଯୋଡି ହେଉଛି ଝାରସୁଗୁଡ଼ା। ଆସନ୍ତା ୨୮ରୁ ଝାରସୁଗୁଡାରୁ ଚେନ୍ନାଇକୁ ଉଡିବ ବିମାନ।

ଉଡାଣ ଯୋଜନାରେ ଦେଶର ଆଉ ଏକ ସହର ସହ ଯୋଡି ହେଉଛି ଝାରସୁଗୁଡା। ଆସନ୍ତା ୨୮ ତାରିଖରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଚେନ୍ନାଇକୁ ଉଡିବ ବିମାନ। ସପ୍ତାହକୁ ୭ଦିନ ଅର୍ଥାତ ପ୍ରତିଦିନ ଝାରସୁଗୁଡାରୁ ଚେନ୍ନାଇକୁ ସ୍ପାଇସ ଜେଟ ବିମାନ ଉଡାଣ ଭରିବ। ଏନେଇ ସ୍ପାଇସ ଜେଟ ଅନଲାଇନ ଟିକେଟ ବୁକିଂ ଆରମ୍ଭ କରିସାରିଛି। ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସ୍ପାଇସ ଜେଟର ୧୮୧ ସିଟ ବିଶିଷ୍ଟ ବିମାନ ଚେନ୍ନାଇକୁ ଉଡିବ। ସେହିପରି ସପ୍ତାହକୁ ୪ ଦିନ ଝାରସୁଗୁଡାରୁ ମୁମ୍ବାଇକୁ ଯାଉଥିବା ବିମାନ ଆସନ୍ତା ୨୮ ତାରିଖରୁ ପ୍ରତିଦିନ ଉଡାଣ ଭରିବ। ଆସନ୍ତା ୨୮ରୁ ଝାରସୁଗୁଡାରୁ ବେଙ୍ଗାଲୁରୁକୁ ଯାଉଥିବା ବିମାନ ସପ୍ତାହକୁ ୬ ଦିନ ଉଡିବ।