ରାଜ୍ୟ ସ୍କାଉଟ ଗାଇଡ୍ସର ମୁଖ୍ୟ ଆୟୁକ୍ତଙ୍କୁ ‘ଏସିଆ ପେସିଫିକ୍ ଆଚିଭର ସମ୍ମାନ’ ରେ ସମ୍ମାନିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନର ରାଜ୍ୟ ମୁଖ୍ୟ ଆୟୁକ୍ତ ତଥା ଜାତୀୟ ଉପସଭାପତି ଡ. କାଳିପ୍ରସାଦ ମିଶ୍ରଙ୍କୁ ଏସିଆ ପ୍ୟାସିଫିକ୍ ଅଞ୍ଚଳରେ ସ୍କାଉଟ ଗାଇଡ୍ସର ବିକାଶ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ତାଙ୍କୁ “ଏସିଆ ପ୍ୟାସିଫିକ୍ ଆଚିଭର ସମ୍ମାନରେ” ସମ୍ମାନିତ କରାଯାଇଛି। ଏନେଇ ଆଜି ଭର୍ଚ୍ଚୁଆଲ ମାଧ୍ୟମରେ ଦିଲ୍ଲୀଠାରେ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଏଜୁକେସନ ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରା ଡ. ମିଶ୍ରଙ୍କୁ ପ୍ରଶଂସା ପତ୍ର ଏବଂ ସ୍ମୃତି ଫଳକ ପଦକ ପ୍ରଦାନ କରାଯାଇଛି।

ପ୍ରକାଶ ଯୋଗ୍ୟ ଯେ, ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ପୂର୍ବରୁ ଡ. ମିଶ୍ର ଜାତୀୟସ୍ତରରେ ସ୍କାଉଟ ଓ ଗାଇଡ୍ସର ସର୍ବୋଚ୍ଚ ପୁରସ୍କାର “ରଜତ ହସ୍ତୀ” ୧୯୯୦ ମସିହାରେ ମହାମହିମ ରାଷ୍ଟ୍ରପତି ଭେଙ୍କଟରମଣଙ୍କ ଠାରୁ ଏବଂ ୨୦୧୦ ମସିହାରେ ଅଧିସଦସ୍ୟ ସ୍ୱର୍ଣ୍ଣପଦକ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ପ୍ରତିଭା ପାଟିଲଙ୍କଠାରୁ ପାଇଛନ୍ତି। ସେହିପରି ଏସଟି ଜନ୍ ଆମ୍ବ୍ୟୁଲାନ୍ସର ସର୍ବୋଚ୍ଚ ପଦକ ରାଜ କୁମାରୀ ଅମ୍ରିତ କୌର ଗୋଲ୍ଡ ମେଡାଲ ୨୦୧୧ ମସିହାରେ ପାଇଥିଲେ। ସେହିପରି ଉଲ୍ଲେଖନୀୟ ବିକାଶୋନ୍ମୁଖୀ କାର୍ଯ୍ୟ ସମ୍ପାଦନ ନିମନ୍ତେ ଅନ୍ତର୍ଜାତୀୟ ବ୍ୟବସାୟିକ ପରିଷଦ ତରଫରୁ ଭାରତର ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ଆସାମର ରାଜ୍ୟପାଳ ଏଲ୍. ମିଶ୍ରଙ୍କଠାରୁ ୧୯୯୩ ମସିହାରେ ନେସନାଲ ଇଣ୍ଟିଗ୍ରେସନ ସମ୍ମାନ ପାଇଥିଲେ।