ଏକର ଏକର ଧାନ ଫସଲ ଦଳି ଚକଟି ନଷ୍ଟ କଲେ ୧୩ ଟିକିଆ ହାତୀପଲ

ପାଟଣା,ଏନ୍ଏନ୍ଏସ୍: ପାଟଣା ରେଞ୍ଜରେ ହାତୀପଲଙ୍କ ଉପଦ୍ରବ ଥମିବାର ନାଁ ନେଉନାହିଁ। ବୁଧବାର ସକାଳୁ ହାତୀପଲ ସଦର ରେଞ୍ଜରୁ ଆସି ପାଟଣା ରେଞ୍ଜର ଖିରେଇଟାଙ୍ଗିରୀ ସେକ୍ସନ ଅଞ୍ଚଳରେ ଏକର ଏକର ଧାନ ଫସଲ ଦଳି ଚକଟି ନଷ୍ଟ କରିଦେଇଛି। ହାତୀପଲ ଡାବରଚୁଆ ଗ୍ରାମରେ ଚାଷ ଜମିରେ ପଶି ଶରଣ ନାଏକ, ମହୁର ନାଏକ ଓ ଗୌର ନାଏକଙ୍କ ଏକର ଏକର ଜମିରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି।

ହାତୀପଲଙ୍କ ଭୟରେ ଓ ଫସଲକୁ ହାତୀ ଦାଉରୁ ରକ୍ଷା କରିବା ପାଇଁ ଲୋକେ ରାତି ଅନିଦ୍ରା ରହି ନିଜ ଫସଲ ଜଗୁଛନ୍ତି। ଏବେ ଧାନ ଅମଳର ସମୟ ଥିବାରୁ ହାତୀପଲଙ୍କ ଉପଦ୍ରବକୁ ନେଇ ଚିନ୍ତାରେ ଚାଷୀ। ଖୁବଶୀଘ୍ର ବନ ବିଭାଗ ଏ ଅଞ୍ଚଳରୁ ହାତୀପଲଙ୍କୁ ଘଉଡାଇବା ସହିତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ କ୍ଷତିଗ୍ରସ୍ତ ଚାଷୀ ଦାବି କରିଛନ୍ତି।