ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ମାଗଣା ରାସନ ବ୍ୟବସ୍ଥା ଚଳିତ ବର୍ଷ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନା ପୂର୍ବରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲାଗୁ ହୋଇଥିଲା ।
ମାଗଣା ରାସନ ସମୟସୀମା ବଢ଼ିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ସୂଚନା ପ୍ରଦାନ କରୁଛନ୍ତି । ମୋଦୀ ଲେଖିଛନ୍ତି ଯେ, ଭାରତବର୍ଷର ସାମର୍ଥ୍ୟ ଦେଶର ଜଣେ ଜଣେ ନାଗରିକଙ୍କ ଶକ୍ତିରେ ସମାହିତ । ଏହି ଶକ୍ତିକୁ ସୁଦୃଢ଼ କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆହୁରି ୬ ମାସ ବଢ଼ାଇ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଦେଶର ୬୦ କୋଟିରୁ ଅଧିକ ଲୋକ ପୂର୍ବଭଳି ଏହି ଯୋଜନାର ଲାଭ ଉଠାଇପାରିବେ ।