କାରଖାନାରେ ନିଆଁ ଲାଗି ୪ ମୃତ, ୨୭ ଆହତ

ଚଣ୍ଡିଗଡ଼,ଏଜେନ୍ସି : ହରିଆଣାର ବଲ୍ଲଭଗଡ଼ରେ ଅବସ୍ଥିତ ଏକ କେମିକାଲ କାରଖାନାରେ ବଏଲର୍ ଫାଟିବା ଫଳରେ ଅନ୍ୟୂନ ୪ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ୨୭ରୁ ଅଧିକ ଶ୍ରମିକଙ୍କୁ ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବଏଲର୍ ଫାଟିବା ଫଳରେ ସେଥିରୁ ବିରାଟ ଆକାରର ନିଆଁପିଣ୍ଡ ଚାରିଆଡ଼କୁ ବିଛାଡ଼ି ହୋଇ ପଡ଼ିଥିଲା। ବିସ୍ଫୋରଣ ଏତେ ପ୍ରଭାବଶାଳୀ ଥିଲା ଯେ ତା’ର ନିଆଁ ପ୍ରାୟ ୩ଟି କୋଠାକୁ ଗ୍ରାସ କରିଥିଲା। ତେବେ କେଉଁ କାରଣରୁ ବଏଲର୍ ଫାଟିଲା, ତା’ର କାରଣ ଜଣାପଡ଼ିନି ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ, ଅଗ୍ନିଶମ ବାହିନୀ ସମେତ ପୁଲିସ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।