ପୂର୍ବତନ ଶିକ୍ଷା ମନ୍ତ୍ରୀ ରିପୁନାଥ ସେଠ୍‌ଙ୍କ ଅକାଳ ବିୟୋଗ; ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶୋକସଭା

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା କଂଗ୍ରେସର ବିଶିଷ୍ଟ ଦଳିତ ନେତା ରିପୁନାଥ ସେଠ୍‌ଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ପିସିସି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରୀ ପଟ୍ଟନାୟକ କହିଲେ ଯେ ରିପୁନାଥ ବାବୁ ଜଣେ ଅତ୍ୟନ୍ତ ପରିଶ୍ରମୀ ଓ ଦକ୍ଷ ସଂଗଠକ ଥିଲେ। କଂଗ୍ରେସ ଦଳରେ କାର୍ଯ୍ୟ କରିବା ଭିତରେ ତାଙ୍କୁ ଯେଉଁ ଦାୟୀତ୍ୱ ଦିଆଯାଇଛି ସେ ତାହାକୁ ସଫଳତାର ସହ ନିର୍ବାହ କରୁଥିଲେ।

ସ୍ୱର୍ଗତ ସେଠ୍‌ ଜଣେ ଅତ୍ୟନ୍ତ ମିଷ୍ଠଭାଷୀ, ସରଳ ଓ ଅମାୟିକ ବ୍ୟକ୍ତି ଭାବରେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ। ବୈଠକରେ ସ୍ୱର୍ଗତ ଆତ୍ମାର ସଦଗତି କାମନା କରି ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଜେପୁର ବିଧାୟକ ରିପୁନାଥ ସେଠ୍‌ ୬୭ ବର୍ଷରେ ପ୍ରାଣ ତ୍ୟାଗ କରିଛନ୍ତି। ଖବର ଅନୁସାରେ, ବରଗଡ଼ ଜିଲ୍ଲାର ବରପାଲିସ୍ଥିତ ତାଙ୍କ ବାସଭବନରେ ଛାତି ଯନ୍ତ୍ରଣା ଅନୁିଭବ ହେବା ପରେ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯେଉଁଠାରେ ସେ ଚିକିତ୍ସିତ ହେଉଥିବାବେଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।