ଆନ୍ଧ୍ରପ୍ରଦେଶର ପୂର୍ବତନ ବାଚସ୍ପତିଙ୍କ ଆତ୍ମହତ୍ୟା

ଆନ୍ଧ୍ରପ୍ରଦେଶର ପୂର୍ବତନ ବାଚସ୍ପତି ତଥା ତେଲୁଗୁ ଦେଶମ୍ ପାର୍ଟିର ବରିଷ୍ଠ ନେତା କୋଡେଲା ଶିବା ପ୍ରସାଦ ରାଓଙ୍କର ସୋମବାର ପରଲୋକ ଘଟିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

ବାଚସ୍ପତି ଶିବା ପ୍ରସାଦଙ୍କ ଉପରେ ୱାଇଏସଆର କଂଗ୍ରେସ ସରକାର ଭ୍ରଷ୍ଟାଚାର ଅଭିଯୋଗ ଆଣିଥିଲା । ତାଙ୍କ ବିରୁଦ୍ଧରେ ବିଧାନସଭାରୁ ଫର୍ଣ୍ଣିଚର ଚୋରି ହେବା ଭଳି ଅଭିଯୋଗ ଆସିଥିଲା । ଏହାପରେ ସେ ନିଜ ହାଇଦ୍ରାବଦ ସ୍ଥିତ ଘରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଯାଇଛି ।